କନକ ବ୍ୟୁରୋ : ଗଞ୍ଜାମ ପରେ ଉପକୂଳରେ ବର୍ଷା ଯୋଗୁଁ ଉଜୁଡିଯାଇଥିବା କ୍ଷେତକୁ ଦେଖିଛନ୍ତି ବିରୋଧୀ ଦଳ ନେତା । ସତ୍ୟବାଦୀ ଅଂଚଳର ଚାଷୀ ନବୀନଙ୍କୁ ଗଜା ଧାନ ଦେଖାଇ କୋହ ସମ୍ଭାଳିପାରିନାହାନ୍ତି । ଅଦିନିଆ ବର୍ଷା କିଭଳି ମେରୁଦଣ୍ଡ ଭାଙ୍ଗିଦେଇଛି ତାହା ଦେଖାଇଛନ୍ତି । ପ୍ରଭାବିତ ଅଂଚଳ ବୁଲି କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀଙ୍କ ସହ କଥା ହୋଇଛନ୍ତି । ଆଉ ନବୀନ ପ୍ରତିଶ୍ରୃତି ଦେଇଛନ୍ତି ଚାଷୀଙ୍କ ଦୁଃଖ ସରକାରଙ୍କ ନିକଟରେ ପଂହଚାଇବେ । ସତ୍ୟବାଦୀ ଗସ୍ତବେଳେ ନବୀନଙ୍କୁ ଦେଖିବାକୁ ବ୍ୟାରିକେଡ ଭାଙ୍ଗି ହେଲିପ୍ୟାଡ ଭିତରକୁ ପଶିଯାଇଥିଲେ ଲୋକେ । ଆଉ ଭିଡ ସମ୍ଭାଳିବାକୁ ପୁଲିସକୁ ନାକେଦମ ହେବାକୁ ପଡିଥିଲା ।
ନବୀନ ଆଜି ପୁରୀ, କେନ୍ଦ୍ରପଡା, ଜଗତସିଂହପୁର ଓ କଟକ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଚନ୍ଦାହୁରା ଗାଁରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଉଜୁଡ଼ା ଚାଷକୁ ଦେଖି ଗତକାଲି ଆତ୍ମହତ୍ୟା କରିଥିବା ଯୁବଚାଷୀ କୃତିବାସ ସ୍ବାଇଁଙ୍କ ଘରକୁ ଯାଇଥିଲେ ବିରୋଧୀ ଦଳ ନେତା । ସେଠାରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ନବୀନ । କେନ୍ଦ୍ରପଡା ଶ୍ୟାମସୁନ୍ଦରପୁରରେ ନବୀନଙ୍କୁ କାନ୍ଦି କାନ୍ଦି ଗଜା ଧାନ ଦେଖାଇଛଛନ୍ତି ଚାଷୀ ।
କଟକ ଜିଲ୍ଲା ସାଲେପୁର ବ୍ଲକ୍ କଟରପା ପଞ୍ଚାୟତର କଟରପା ରଥଦାଣ୍ଡରେ ବି ଚାଷୀଙ୍କୁ ଭେଟିଛନ୍ତି ବିଜେଡି ସୁପ୍ରିମୋ । ଚାଷୀ ମାନଙ୍କୁ ସିଧାସଳଖ ଭେଟିବା ସହ ସମୀକ୍ଷା କରି ଚାଷୀ ମାନେ କେଉଁ ଅବସ୍ଥା ରେ ଅଛନ୍ତି ବିସ୍ତୃତ ଆଲୋଚନା କରିଛନ୍ତି । ଏନେଇ ଚାଷୀ ମାନେ ନବୀନ ପଟ୍ଟନାୟକ ଙ୍କୁ ପାଖରେ ପାଇ କାନ୍ଦି ପକାଇ ତାଙ୍କ ଦୁଃଖକୁ ଜଣାଇ ଥିଲେ ।