Photograph: (kanaknews)
କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଗତ ତିନି ଦିନ ହେଲାଣି କାଳ ବୈଶାଖୀ କାରଣରୁ ଅପରାହ୍ନ ହେବା ମାତ୍ରେ ମାଡି ଆସୁଛି ବର୍ଷା । ପ୍ରାୟ ଦୁଇରୁ ତିନି ଘଣ୍ଟା ଧରି ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ବର୍ଷା ଛାଡିବା ଯାଏଁ ରାସ୍ତା ଘାଟରେ ଯାଉଥିବା ଯାନବାହାନ ଅଟକି ରହିଯାଉଛି । ବର୍ଷା ଯୋଗୁଁ ପୁରା ଅଞ୍ଚଳ ବେହାଲ ହୋଇ ପଡୁଛି । ଗଛ ଡାଳ ପଡି ବିଜୁଳି ଫେଲ୍ ରହୁଥିବା ବେଳେ ନାଳ ନର୍ଦ୍ଧମା ପାଣି ରାସ୍ତା ଉପର ଦେଇ ଅତି ବାହିତ ହୋଉଛି । ଚାରିଆଡେ ପଡ଼ି ରହିଥିବା ଅଳିଆ ଆବର୍ଜନା ବର୍ଷା ପାଣିରେ ଭାସି ଆସି ରାସ୍ତା ଉପରେ ପଡ଼ି ରହୁଛି । ଯେଉଁ ଆଡେ ଦେଖିଲେ ପଲିଥିନ ସାଙ୍ଗକୁ ପ୍ଲାଷ୍ଟିକ, ବୋତଲ, ଗ୍ଲାସ ଛଡା ଆଉ କିଛି ଦୃଶ୍ୟମାନ ହେଉନାହିଁ, ମଦ ବୋତଲ ସହ ପାଣି ବୋତଲ ବିଭିନ୍ନ ଡ୍ରେନ୍ରେ ପଡ଼ିଥିବା କାରଣରୁ ଡ୍ରେନ୍ ଭର୍ତ୍ତି ହୋଇ ରହୁଛି ।
ଅପରାହ୍ନରେ ମାଡ଼ି ଆସୁଛି ବର୍ଷା । ପ୍ରାୟ ଦୁଇରୁ ତିନି ଘଣ୍ଟା ଧରି ପ୍ରବଳ ପବନ ସାଙ୍ଗକୁ ଛେଚୁଛି କୁଆପଥର ବର୍ଷା । ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ତାଣ୍ଡବ ରଚୁଛି ଅଦିନିଆ ବର୍ଷା । ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକରେ କାଳବୈଶାଖୀ ପ୍ରଭାବରେ ଅନେକଙ୍କ ଘର ଭାଙ୍ଗି ଯାଇଛି । ଲୋକେ ବେଘର ହେବା ସହ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲକ୍ଷ୍ମୀପୁର ସହର ମଝି, ହାଇସ୍କୁଲ ସାମ୍ନା, ଏସଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖ ଓ ଢ଼ାବା ନିକଟରେ ଜାତୀୟ ରାଜପଥ ଉପରେ ବର୍ଷା ପାଣି ବାହିବା ସହ ଡ୍ରେନ୍ର ଅଳିଆ ଆବର୍ଜନା ପଡ଼ିରହୁଛି । ରାସ୍ତା କଡରେ ଘର କରି ରହୁଥିବା କିଛି ଲୋକ ଓ କିଛି ବ୍ୟବସାୟୀଙ୍କ ଦୋକାନରୁ ବାହାରୁଥିବା ଅଳିଆ ଡ୍ରେନରେ ପକାଉ ଥିବାରୁ ଜଳ ନିସ୍କାସନରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି ।
ସଫା ଓ ସଚେତନତାର ଅଭାବ ହିଁ ଏଥିପାଇଁ ଦାୟୀ ବୋଲି କୁହଯାଉଛି । ଡ୍ରେନ୍ ପାଣି ଘରେ ପଶିଯିବା ଆଶଙ୍କାରେ ଲୋକେ ବର୍ଷାରେ ଛତା ଧରି ଡ୍ରେନ୍ ଓ ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ଏହାକୁ ଅତି ହାଲୁକା ଭାବେ ନେଇ ଦୁଇ-ତିନି ଦିନ ମଧ୍ୟରେ ସ୍ଥିତି ଦେଖି ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଘର ଭାଙ୍ଗି ବେଘର ହୋଇଥିବା ଲୋକେ ପ୍ରଶାସନର ସାହାଯ୍ୟକୁ ଅପେକ୍ଷା କରିଛନ୍ତି । ସେପଟେ ଡ୍ରେନ ସମସ୍ୟା କେବେ ସୁଧୁରିବ ତାକୁ ଅପେକ୍ଷା କରିଛନ୍ତି ସହରବାସୀ ।
Follow Us