କନକ ବ୍ୟୁରୋ: ଚାଷ କରି ଲକ୍ଷ୍ମୀ ହେଲେ ଲକ୍ଷପତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସୁନାପଶି ପଞ୍ଚାୟତ ବାଙ୍କ ଗାଁର ଲକ୍ଷ୍ମୀ ମୁଣ୍ଡା। ଜଣେ ଆଦିବାସୀ ମହିଳା ଚାଷକୁ ବୃତ୍ତି କରି ଏକ ମୃତ୍ତିକାବିହିନ ପରିବା ଚାରା ନର୍ସରୀ କରି ଲକ୍ଷପତି ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ପୂର୍ବରୁ ମୂଲ ମଜୁରି ସହ ଅଳ୍ପ କିଛି ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। କରୋନା ମହାମାରୀରେ ସମୟରେ ଲୋକମାନେ ଚାକିରୀ ହରାଇ ଘରେ ବସିଥିବା ବେଳେ ସେହିସମୟରୁ ଲକ୍ଷ୍ମୀ ମୁଣ୍ଡା ଆରମ୍ଭ କରିଥିଲେ ମୃତ୍ତିକା ବିହିନ ନର୍ସରୀ ।
ଲକ୍ଷ୍ମୀ ମୁଣ୍ଡାଙ୍କର କଠୋର ପରିଶ୍ରମ ତାଙ୍କୁ ଲକ୍ଷପତି କରଛି। ଅଳ୍ପ ଶିକ୍ଷିତା ଲକ୍ଷ୍ମୀ ଖଣି ଖାଦାନରେ କାମ ନପାଇ ନିଜର ଶିକ୍ଷାଗତ ଯୋଗ୍ୟତା ଓ ପରିଶ୍ରମକୁ ଚାଷରେ ବିନିଯୋଗ କରି ଏବେ ଚମ୍ପୁଆ ବ୍ଲକରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତାଙ୍କ ନର୍ସରୀରୁ ୧୫ ହଜାରରୁ ଅଧିକ ଉନ୍ନତ ଧରଣର ବାଇଗଣ, କୋବି, କାକୁଡି, ଲଙ୍କା, କଲରା ଚାରା ପ୍ରସ୍ତୁତ ହୋଇ ବିକ୍ରୀ ହେଲାଣି ।
ଚାରା ପାଇଁ ଦୈନିକ ଆଖ ପାଖ ଅଞ୍ଚଳର ଚାଷୀ ତାଙ୍କ ଠାରୁ ଚାରା କିଣିବା ପାଇଁ ଭିଡ଼ ଲଗାଉଛନ୍ତି । ନର୍ସରୀ କରି ଏବେ ନିଜେ ସ୍ବାବଲମ୍ବୀ ହେବା ସହ ଦୁଇ ଜଣକୁ ମଧ୍ୟ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି ଲକ୍ଷ୍ମୀ । ଅନ୍ୟମାନଙ୍କ ଭଳି କିଛି ରୋଜଗାର କରିବା ପାଇଁ ଲକ୍ଷ୍ମୀଙ୍କର ମଧ୍ୟ ଆନେକ ଦିନରୁ ସ୍ବପ୍ନ ରହିଥିଲା । ସେହି ସ୍ବପ୍ନ ଆଜି ନର୍ସରୀ ମାଧ୍ୟମରେ ସଫଳ ହୋଇଛି ।