କନକ ବ୍ୟୁରୋ : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । ଖୁବଶୀଘ୍ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି । ତେବେ ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ । ଯେଉଁ କଥା ବିଗତ ଦିନରେ କହିଥିଲେ ଏବେ ଶୀଘ୍ର ଆଲୋଚନା କରାଯାଇ କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ଚିକିଟି ମଦ ମୃତ୍ୟୁ ଘଟଣା ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ଚୋରା ମଦ ବନ୍ଦ ନହେବା ଯାଏଁ ଚାଲିବ ଚଢ଼ାଉ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ପୂର୍ବ ସରକାର ଦିନେ ଦୁଇ ଦିନ ଚଢ଼ାଉ କରି, ମାମଲା ଥଣ୍ଡା ହେଲା ପରେ ବନ୍ଦ କରି ଦେଉଥିଲେ ଚଢ଼ାଉ । କିନ୍ତୁ ମୋହନ ସରକାରରେ ସେଭଳି ହେବ ନାହିଁ । ସରକାର ଦୃଢ଼ ହସ୍ତରେ ଚୋରା ମଦ ନେଟୱର୍କ ବନ୍ଦ କରିବେ ବୋଲି ପୃଥ୍ୱୀରାଜ କହିଛନ୍ତି ।

ସେହିପରି ନିର୍ଣ୍ଣାୟକ ସ୍ଥିତି ଯାଏଁ ଚଢ଼ାଉ ଜାରି ରହିବ । ଚିକିଟିରେ ମଦ ମୃତ୍ୟୁ ପରେ ସାରା ରାଜ୍ୟରେ ବେଆଇନ ମଦ କାରବାର ଉପରେ ଚଢ଼ାଉ କରୁଛି ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରାଯାଉଛି । ତେବେ ଏହି ଚଢ଼ାଉ ଏବେ ଜାରି ରହିବ ବୋଲି ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି ।