କନକବ୍ୟୁରୋ : ନିଜ ଗାଁ ପାଖରୁ ହୋଇଛି କି ହତ୍ୟା ଷଡଯନ୍ତ୍ର? ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦିନ ଯେତିକି ଗଡୁଛି, ସନ୍ଦେହ ସେତିକି ବଢୁଛି । ଦୁଇଦିନ ହେଲାଣି ୭/୮ ଜଣଙ୍କୁ ମାରାଥନ ଜେରା କରୁଛି ପୁଲିସ । ଦାମୀ ଗାଡ଼ି ଜବତ ହୋଇଥିଲାବେଳେ ମାଲିକଙ୍କୁ ଡାକି ପଚରା ଉଚରା କରାଯାଉଛି । ଗତକାଲି ରାତିରେ ପୁଣି କବିସୂର୍ଯ୍ୟନଗର, ପୋଲସରା ଓ ଖଲ୍ଲିକୋଟ ଅଞ୍ଚଳରେ ଘନ ଘନ ଚଢ଼ାଉ ହୋଇଛି ।
ରାତିସାରା ୩ଟି ଟିମ ଭିନ୍ନ, ଭିନ୍ନ ସ୍ଥାନରେ ରେଡ ମାରିଛି । ଅଟକ ଯୁବକମାନେ ବି ଦିଗପହଣ୍ଡି, ହିଞ୍ଜିଳି ଓ ପିତଳ ଅଞ୍ଚଳର ହୋଇଥିବାବେଳେ ଗତକାଲି ଖଲ୍ଲିକୋଟ, ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଚଢ଼ାଉ କରିବା ଭିନ୍ନ ସଂକେତ ଦେଉଛି । ପୀତବାସଙ୍କ ନିଜ ଘର ପିତଳ ଅଞ୍ଚଳରେ । ତେଣୁ ତାଙ୍କୁ ହତ୍ୟା ଲାଗି ସେହି ଅଞ୍ଚଳରୁ ଷଡଯନ୍ତ୍ର ହୋଇଥିଲା କି? ପୀତବାସଙ୍କ ଗାଁ ପାଖରୁ ପୁଲିସକୁ କି ଲିଙ୍କ ମିଳିଛି? ବ୍ୟକ୍ତିଗତ ଆକ୍ରୋଶ ନା ବ୍ୟାବସାୟିକ ଆକ୍ରମଣ? ପୀତବାସଙ୍କ ହତ୍ୟା ପଛର ଅସଲ କାରଣ କଣ? ହତ୍ୟାର ୫ ଦିନ ପରେ ବି ପୁଲିସ ଖିଅ ପାଉନି କାହିଁକି? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।