କନକ ବ୍ୟୁରୋ : ଖବୁଶୀଘ୍ର ଦେଶକୁ ମିଳିବ ନୂଆ ନିର୍ବାଚନ କମିଶନ । ଏନେଇ ଆଇନ ମନ୍ତ୍ରଣାଳୟ ତରଫରୁ ଫେବୃଆରୀ ୧୭ କୁ ବୈଠକ ଡକାଯାଇଛି । ଏହି କମିଟିରେ ଏବେ ୩ ଜଣ ସଦସ୍ୟ ରହିଛନ୍ତି । ଶାସକ ଦଳରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଚୟନ କମିଟି ବୈଠକରେ ସାମିଲ ହେବେ । ଏବେର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବୃଆରୀ ୧୮ ତାରିଖରେ ଶେଷ ହେଉଛି । ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ ସମ୍ବନ୍ଧିତ ଅନ୍ୟ କର୍ମଚାରୀଙ୍କ ଚୟନ ନେଇ ୨୦୨୩ ରେ ଏକ ନୂଆ ଆଇନ ପାରିତ ହୋଇଥିôଲା । ଏହି ଆଇନ ଏବେ ପ୍ରଥମ ଥର କାର୍ଯ୍ୟକାରୀ ହେବାକୁ ଯାଉଛି । ରାଜୀବ କୁମାରଙ୍କ ମେଁ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ ନେତୃତ୍ୱରେ ୨୦୨୪ ଲୋକସଭା ନିର୍ବାଚନ କରାଯାଇଥିଲା । ଏହାସହ କାଶ୍ମୀରରେ ଗୋଟିଏ ଦଶକ ଧରି ବନ୍ଦ ଥିବା ବିଧାନସଭା ନିର୍ବାଚନ ମଧ୍ୟ ସଫଳତାର ସହ ଆୟୋଜନ କରିଥିଲେ ରାଜୀବ କୁମାର । ତାଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ର, ହରିଆଣା, ଝାଡଖଣ୍ଡ ଓ ଦିଲ୍ଲୀ ବିଧାନସଭା ମଧ୍ୟ ହୋଇଛି ।
ଏସବୁ ଭିତରେ କିନ୍ତୁ ବେଶ ବିବାଦ ଘେରକୁ ଆସିଛନ୍ତି ରାଜୀବ କୁମାର । ଇଭିଏମରେ ଭୋଟ ଟ୍ୟାମ୍ପରିଂ, ଭୋଟର ତାଲିକା, ଭୋଟ ଗଣତି ପ୍ରକିୟା ଭଳି ଅନେକ ପ୍ରସଙ୍ଗରେ ପକ୍ଷପାତିତା ହୋଇଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଏବେ ଏବେ ସୁପ୍ରିମକୋର୍ଟ ମଧ୍ୟ ଇଭିଏମରୁ ତଥ୍ୟ ହଟାଇବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ କଡା ତାଗିଦ କରିଛନ୍ତି ।