କନକ ବ୍ୟୁରୋ: ଶ୍ରୀମନ୍ଦିର ଲୁହା କଡେଇରେ ମହାପ୍ରସାଦ ରନ୍ଧା ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ  । କହିଲେ, ସେ ବାବଦରେ ସମୀକ୍ଷା ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ଯାହା ପଦକ୍ଷେପ ନେବା କଥା କୋଠର ପଦକ୍ଷେପ ନେବ ସେନେଇ ସରକାର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି । ନୀତିକାନ୍ତିରେ ଯେଉଁମାନେ ବିଭ୍ରାଟ କରିବେ ସିଏ ଯିଏବି କେହି ହୁଅନ୍ତୁ କୋଠର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Advertisment

ଗତକାଲି ୩ ଜଣ ସୁପକାରଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି । ୩ ସୁପକାରଙ୍କ ମଧ୍ୟରୁ ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ମଧ୍ୟ ନିଲମ୍ବିତ କରାଯାଇଛି  । ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ର ୨୧-ଖ (କ) ଧାରା ଅନୁସାରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି  । ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି  ।

ଗତ ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ପ୍ରଶାସକ  । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । 

ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରି ବାକୁ ମଧ୍ୟ ଜଣାଇ ଦିଆଯାଇଥିଲା  । ଏହି ସମ୍ପୃକ୍ତ ସେବକଙ୍କ ଦ୍ଵାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ପ୍ରଶାସକ । ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟ ପ୍ରଶାସକ  ।