କନକ ବ୍ୟୁରୋ : ଯିବେ ତ ଯିବେ କୁଆଡେ ଯିବେ । ସ୍କୁଲରେ ଦୁଷ୍କର୍ମ, ରାସ୍ତାରେ ଦୁଷ୍କର୍ମ, କଲେଜରେ ଦୁଷ୍କର୍ମ ପୁଣି କେବେ ଘରେ ବି ଜ୍ଞାତି କୁଟୁମ୍ବଙ୍କ ଦ୍ୱାରା ଦୁଷ୍କର୍ମରେ ଶିକାର । ଦେଶରେ ଜନସଂଖ୍ୟାର ଅଧା ଭାଗିଦାରୀ ମହିଳା ପ୍ରତିଟି ସ୍ଥଳେ ଭୟର ବାତାବରଣରେ ବଞ୍ଚିବାକୁ ପଡୁଛି  । ଘରୁ ପାଦ କାଢିଲେ ଛକିଛନ୍ତି ନର ପିଶାଚ । କେଉଁଠି କେତେବେଳେ ଏହି ନରପିଶାଚ କାହାର ଇଜ୍ଜତ ଲୁଟି ନେଉଛନ୍ତି, କାହାକୁ ଭୋକିଲା କୁକୁର ଭଳି ଝୁଣି ଝୁଣି ଖାଉଛନ୍ତି ତାହା କେବଳ ସେହିମାନଙ୍କୁ ଜଣା ।

Advertisment

ଆପଣଙ୍କ ମନେ ଥିବ କୋଲକାତାର ଆରଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଦେଶକୁ ଲଜ୍ଜିତ କରିଥିଲା । ହୋ ହାଲ୍ଲା ହେଲା, ରାଜନୀତି ବେଶ ଚାଲିଲା, ଶାସକ ବିରୋଧୀ ବେଶ ଲଢିଲେ । ହେଲେ ମହିଳା ସୁରକ୍ଷା ପ୍ରସଙ୍ଗ, ଦଣ୍ଡବିଧାନ, କଠୋର ଆଇନ ବାବଦରେ ସମସ୍ତେ ଭୁଲିଗଲେ । ଯାହାର ଫଳ ସ୍ୱରୂପ ଆଜି ପୁଣି କୋଲକାତାର ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମରେ ଶିକାର ହେବାକୁ ପଡିଲା । ଆରଜି କର ମାମଲାରେ କଲେଜର ଜଣେ କର୍ମଚାରୀ ଦୁଷ୍କର୍ମ କରି ହତ୍ୟା କରିଥିବା ବେଳେ ଏହି ମାମଲାରେ ଆଇନ କଲେଜର ଦୁଇଜଣ କର୍ମଚାରୀଙ୍କ ସହ ଜଣେ ଛାତ୍ର ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । 

ସୂଚନା ମୁତାବକ କୋଲକାତା ମହାନଗର ନିଗମର ସବ୍-ଅର୍ବାନ ଏରିଆରେ ଥିବା ଏକ ଆଇନ କଲେଜର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଏହି ବର୍ବର କାଣ୍ଡ କଲେଜର ଦୁଇଜଣ କର୍ମଚାରୀ ଓ ଜଣେ ଛାତ୍ର ମିଶି କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ଶାସକ ଟିଏମସିର ଜଣେ ଜଣାଶୁଣା ନେତା ସାମିଲ ଥିବା ମଧ୍ୟ ଆଲୋଚନା ହେଉଛି । ଏହାରି ଭିତରେ ସ୍ଥାନୀୟ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ହେପାଜତକୁ ନେଇଛି । 

ଦୁଷ୍କର୍ମ ପଛରେ ବି ରାଜନୀତି ରହିଥିବା କଥା ଆଲୋଚନା ଚାଲିଛି । ଛାତ୍ରୀ ଜଣଙ୍କ କଲେଜର ଏକ ରୁମକୁ ଡାକି ପ୍ରଥମେ ୟୁନିୟନର ଜେନରାଲ ସେକ୍ରେଟାରୀ ପଦ ଦେବାର ପ୍ରଲୋଭନ ଦେଖାଯାଇଥିଲା । ଏହା ବଦଳରେ ତାଙ୍କ ସହ ଶାରିରୀକ  ସଂପର୍କ ରଖିବାକୁ କୁହାଯାଇଥିଲା । ଛାତ୍ରୀ ଜଣଙ୍କ ରାଜି ନହେବାରୁ ତାଙ୍କୁ ଦୁଇଜଣ କର୍ମଚାରୀ ଓ ଜଣେ ଛାତ୍ର ମିଳିତ ଭାବେ ବୀଭତ୍ସ ଭାବେ ଦୁଷ୍କର୍ମ କରିଥିଲେ । ସେପଟେ ଦୁଷ୍କର୍ମରେ ଶିକାର ଛାତ୍ରୀ ଜଣଙ୍କ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।