କନକ ବ୍ୟୁରୋ: ଅଶାନ୍ତ ହୋଇପଡିଛି ରାଉରକେଲା ସହର । ଭୁଶୁଡି ପଡିଛି ସ୍ମାର୍ଟ ସିଟି ରାଉରକେଲାର ଶୃଙ୍ଖଳା ବ୍ୟବସ୍ଥା । ଗଣ ଦୁଷ୍କର୍ମ, ହତ୍ୟା ଓ ଲୁଟ ପାଟ ଏବେ ନିତିଦିନିଆ ଘଟଣା ପାଲଟିଲାଣି । ସୁରକ୍ଷା ଦାବିରେ ବିଜେପି, ବିଜେଡି ଓ ବିଭିନ୍ନ ସଂଗଠନ ପକ୍ଷରୁ ରାଉରକେଲା ଡିଆଇଜିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଶାନ୍ତି କିପରି ଫେରି ଆସିବ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ଦାବୀ କରିଛନ୍ତି।
ରାଉରକେଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୋଲିସର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ । ରାଉରକେଲା ପାଲଟିଛି ଅପରାଧୀଙ୍କ ଚରାଭୁଇଁ । ଗଣଦୁଷ୍କର୍ମ ଓ ହତ୍ୟା ଭଳି ଗତ ୭ ଦିନ ଭିତରେ ୪ଟି ଜଘନ୍ୟକାଣ୍ଡ ରାଉରକେଲାବାସୀଙ୍କୁ ଆତଙ୍କିତ କରିଛି । ରଘୁନାଥପାଲି ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ସ୍ଥାନରେ ୬ଜଣଙ୍କୁ ଥାନାକୁ ଉଠାଇ ଆଣିଛି ପୋଲିସ। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ସହ ପୁଲିସର ଏକ ଟିମ ରାଜ୍ୟ ବାହାରକୁ ଯାଇଥିବା ଜଣାପଡିଛି । ସେପଟେ ଛେଣ୍ଡ ପେଟ୍ରୋଲ ପମ୍ପ୍ ନିକଟରେ ଛୁରୀରେ ଭୁଷି ଅତି ନିର୍ମମ ଭାବେ ଯୁବକକୁ ହତ୍ୟା ମାମଲାର ଖୋଳତାଡ କରୁଛି ପୋଲିସ ।
ସ୍ମାର୍ଟସିଟି ରାଉରକେଲାରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସାମ୍ବାଦିକ ସମିଳନୀ କରି ଉଦବେଗ ପ୍ରକାଶ କରିଛି ବିଜେଡି । ରାଉରକେଲା ବିଧାୟକ ସାରଦା ନାୟକ ରାଉରକେଲା ଡିଆଇଜିଙ୍କୁ ଭେଟି ଅପରାଧିକ ଗତିବିଧି ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି । ସେପଟେ ରାଉରକେଲାର ବିଭିନ୍ନ ମହିଳା ସ୍ବେଛାସେବୀ ସଂଗଠନ ଡିଆଇଜିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।