କନକ ବ୍ୟୁରୋ : ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ପୁଲିସର ପାରିବା ପଣିଆ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପୁଲିସ୍ ବିଭାଗରେ ଖାଲି ପଡ଼ିଛି ଅନେକ ପଦ । ପ୍ରାୟ ୨ ହଜାର ଏସଆଇ ପଦବୀ ଏବେ ଖାଲି। ଏସଆଇ କେଳେଙ୍କାରି ପରେ ସବ୍-ଇନିସପେକ୍ଟର ନିଯୁକ୍ତି ବନ୍ଦ ପଡ଼ିଥିବା ବେଳେ ଏହା ଯୋଗୁଁ ଚାକିରି ଆଶାୟୀ ବି ହନ୍ତସନ୍ତ ହେଉଛନ୍ତି ।ସବ୍- ଇନ୍ସପେକ୍ଟର ପରୀକ୍ଷାରେ ବଡ଼ କେଳେଙ୍କାରୀ ହେବା ପରେ ଏବେ ରାଜ୍ୟରେ ସମ୍ପୂର୍ଣ୍ଣ ଅଟକି ଯାଇଛି ସବ୍-ଇନ୍ସପେକ୍ଟର ନିଯୁକ୍ତି । ପୁଣିଥରେ ଏହି ପରୀକ୍ଷାକୁ ସ୍ଵଛ ଭାବେ କରିବା ପାଇଁ ନା କୌଣସି ନିଯୁକ୍ତି ବାହାରୁଛି ନା କୌଣସି ଠୋସ୍ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ଥାନାରେ ଏବେ ସବ୍- ଇନ୍ସପେକ୍ଟରଙ୍କ ମରୁଡି ଦେଖା ଦେଲାଣି। ଯାହାର ପ୍ରଭାବରେ ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ପ୍ରଭାବିତ ହେଉଛି। ସେପଟେ ଏସଆଇ ନିଯୁକ୍ତି ବାହାରୁ ନଥିବାରୁ ଚାକିରି ଆଶାୟୀ କ୍ଷୋଭ ପ୍ରକାଶ କରୁଛନ୍ତି
ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ : ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରୁଛନ୍ତି ମୋହନ ମାଝୀ
ଗତ ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଖାଲି ପଡ଼ିଛି ୧୭୮୪ ସବ୍-ଇନ୍ସପେକ୍ଟର ପଦବୀ। କେବଳ କମିସନରେଟ୍ ପୁଲିସର ସମସ୍ତ ଥାନାରେ ଖାଲି ପଡ଼ିଛି ୨୩୭ ଏସ୍ଆଇ ପଦବୀ। ପୁରୀ ଜିଲ୍ଲାରେ ଖାଲି ଅଛି ୮୨ ପଦବୀ। ରାଉରକେଲାରେ ଖାଲି ପଡ଼ିଛି ୮୩ ଏସ୍ଆଇ ପଦବୀ। ମୟୂରଭଞ୍ଜ ଜିଲ୍ଲାରେ ୭୫ ସବ୍-ଇନ୍ସପେକ୍ଟର ପଦବୀ ଖାଲି। ଅନୁଗୁଳ ଜିଲ୍ଲାରେ ଖାଲି ଅଛି ୭୦ ପଦବୀ। ଏସଆଇ କେଳେଙ୍କାରି ପରେ ଏବେ ଏହାର ତଦନ୍ତ କରୁଛି ସିବିଆଇ। ଏଥିରେ ଅନେକ ଲୋକ ଗିରଫ ହୋଇଥିବା ବେଳେ ବିଭିନ୍ନ ଲୋକଙ୍କୁ ପଚରାଉଚୁରା ଚାଲିଛି। ହେଲେ ଏହାରି ଭିତରେ ନୂତନ ଭାବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ପରୀକ୍ଷା ନ କରେଇବା କାରଣରୁ ଗୃହ ବିଭାଗ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Follow Us