କନକ ବ୍ୟୁରୋ:  ରାଜ୍ୟରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ବ୍ୟବସ୍ଥା । ପୁଲିସକୁ ଯେମିତି କାହାରି ଡର ନାହିଁ । କେଉଁଠି ହତ୍ୟା ପୁଣି କେଉଁଠି ଲୁଟ୍‌ପାଟ। ରାଜଧାନୀରୁ ଉପାନ୍ତ ଓଡ଼ିଶା, କେଉଁଠି ବି ସୁରକ୍ଷା ଉପରେ ଭରସା ନାହିଁ । କାରଣ କେତେବେଳେ କାହା ଉପରେ କିଏ ଆକ୍ରମଣ କରିବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ରକ୍ତପାତ ଘଟୁଛି । ଆଜି ଯେମିତି ଭୁବନେଶ୍ବରର ସାଲିଆସାହିରେ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।

Advertisment

ବିଳମ୍ବିତ ରାତି ପ୍ରାୟ ୧.୪୦ ରେ ସାତଜଣ ଯୁବକ ମିଶି ସାଲିଆସାହିର ରିନା ମହାନ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ୫ ବର୍ଷର ଛୋଟ ଝିଅ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ସମୟରେ ପୁଅ ରାହୁଲ ମହାନ୍ତି ନଥିବା ବେଳେ ୭ ଦୁବୃର୍ତ୍ତ ଗୋଟେ ସୁନା ଚେନ୍ ସହ ୧୦ ହଜାର ଟଙ୍କା ନେଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସାତଜଣ ଦୁବୃର୍ତ୍ତ ୫ ଖଣ୍ଡା ଏବଂ ୨ ପାଇପରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ମହିଳା ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ମୈତ୍ରୀ ବିହାର ଥାନାରେ ଲିଖିତ ଅଭିଯୋଗ ହୋଇଛି ।