କନକ ବ୍ୟୁରୋ: ଉଗ୍ର ହେଲାଣି ବିଜେଡି କଳି । ଭୁବନେଶ୍ୱର, ଯାଜପୁର ପରେ ଏବେ ନବୀନଙ୍କ ଗଞ୍ଜାମରୁ ଶୁଭିଛି ବିଦ୍ରୋହର ସ୍ୱର । ଏକଦା ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମର କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ବଡ ବୟାନ ଗଞ୍ଜାମ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ସିଧାସିଧା ନିଜ ଦଳର ନେତ୍ରୀ ତଥା ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ଉପରେ ହମଲା କରିଛନ୍ତି ଲତିକା ।
ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡି ପରାଜୟ ପଛରେ ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଦାୟୀ କରିଛନ୍ତି ଲତିକା । ରଞ୍ଜିତା ବୀଭିଷଣ ଭାବେ କାମ କରି ଦଳୀୟ ନେତାଙ୍କୁ ହରାଇଛନ୍ତି । ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗରରେ ଦଳ ହାରିଛି । ବିଜେପି ଏଜେଣ୍ଟ ସହ ମିଶି ରଞ୍ଜିତା ସାହୁ କାମ କରିଛନ୍ତି ବୋଲି କହିଛନ୍ତି ଲତିକା।
ତେବେ ଲତିକାଙ୍କ ଏହି ବୟାନ ପରେ, ଦାଣ୍ଡରେ ପଡି ହାଟରେ ଗଡିଛି ବିଜେଡି କଳି । ନବୀନଙ୍କ ଜନ୍ମଦିନରେ ବି ଚୁପ୍ ରହିନାହାନ୍ତି ବିଜେଡି ନେତା । ଭୁବନେଶ୍ୱରରେ ଗଞ୍ଜାମ ନେତା ବିସ୍ପୋରଣ କରି ଏ କଳିକୁ ଆହୁରି ଆଗକୁ ବଢାଇଛନ୍ତି । ଯାହା ବିଜୁ ଜନତା ଦଳ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଯେ, ଅତି ଶୃଙ୍ଖଳିତ ଦଳ ଭାବେ ଜଣାଶୁଣା ବିଜେଡିରେ ବିଶୃଙ୍ଖଳା ଏବେ ନବୀନ ନିବାସରୁ ଶଙ୍ଖ ଭବନ ବାଡ ଡେଇଁ ରାଜରାସ୍ତାରେ ପହଞ୍ଚିଲାଣି । ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ, ଯିଏ ଯେଉଁଠି ଗଣମାଧ୍ୟମକୁ ଦେଖୁଛି ଦଳ ଓ ନେତାଙ୍କ ବିରୋଧରେ ବିଷ ଓଗାରୁଛି । ପ୍ରତ୍ୟେକ ଦିନ କିଏ ନା କିଏ ବିସ୍ପୋରଣ କରୁଛନ୍ତି । ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ ସମସ୍ତେ ମୁହଁ ଖୋଲିଲେଣି ।