କନକ ବ୍ୟୁରୋ: ୬ ତାରିଖ ଯାଏଁ ବର୍ଷା କରିବ କଲବଲ । ପଶ୍ଚିମ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି ହୋଇଛି । ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ୱଲପୁର ଓ ବରଗଡ଼ ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ବର୍ଷା ନେଇ ଚେତାବନୀ ରହିଛି । ଆଗାମୀ ୬ ତାରିଖ ଯାଏଁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିବ । ବରଗଡ଼, କନ୍ଧମାଳ, ସମ୍ୱଲପୁର, ବୌଦ୍ଧ, ସୋନପୁରର କିଛି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।
ମହାନଦୀ ଉପର ମୁଣ୍ଡରେ ଗତକାଲିଠୁ ବର୍ଷା ଜାରି ରହିଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ହେଉଥିବାରୁ ଆଗକୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବ । ଏଥିପାଇଁ ୬ ତାରିଖରେ ହୀରାକୁଦ ଗେଟ ଖୋଲାଯାଇ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟା ଜଳ । ତେବେ ଛତିଶଗଡ଼ରୁ ବନ୍ୟା ପାଣି ମାଡ଼ି ଆସିଲେ ମଧ୍ୟ ହୀରାକୁଦକୁ ବିପଦ ନାହିଁ ବୋଲି କହିଛନ୍ତି ଇଆଇସି । .. ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ଜଳକା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ବାଦଲ ଫଟା ବର୍ଷା ହେଲେ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି ।