କନକ ବ୍ୟୁରୋ : ଦୀର୍ଘ ବର୍ଷ ହେବ ଭାରତରେ ଶିଶୁ ମୃତ୍ୟୁହାର ଏକ ଗମ୍ଭୀର ସ୍ଥିତିରେ ରହିଛି । ଅତ୍ୟାଧୁନିକ ଚିକିତ୍ସା, ମାତୃ ସ୍ୱାସ୍ଥ୍ୟ ସେବାରେ ସୁଧାର, ଟିକାକରଣ ଅଭିଯାନ, ପ୍ରସବ ସମୟରେ ଉନ୍ନତ ମେଡିକାଲ ସୁବିଧା ମିଳିବା ପରେ ଦେଶରେ ଶିଶୁ ମୃତ୍ୟୁହାରର ସୁଧାର ଆସିଛି । ଏନେଇ ଦେଶ ଅନେକ ଦଶନ୍ଧି ଧରି ସଂଘର୍ଷ ଜାରି ରଖିଛି । ଆଇନ ପ୍ରଣୟନ କରିଛି, ଯୋଜନା ଘୋଷଣା କରିଛି ଓ ସମାଜକୁ ସଚେତନ କରିବା କାମ ମଧ୍ୟ କରିଛି । ଏହା ଫଳରେ ଏବେ ଭାରତରେ ଶିଶୁ ମୃତ୍ୟୁହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ହେଲେ ଚ୍ୟାଲେଞ୍ଜ ଏବେ ବି ରହିଛି । କିଛି ଅଞ୍ଚଳରେ କୁପୋଷଣ, ଉଚିତ୍ ସମୟରେ ଟିକାକରଣ ହୋଇନପାରିବା, ସ୍ୱାସ୍ଥ୍ୟ ସୁବିଧାରେ ଅସମାନତା କାରଣରୁ ଅନେକ ସମୟରେ ଚିନ୍ତା ବଢିବାର ରିପୋର୍ଟ ସାମ୍ନାକୁ ଆସୁଛି ।
ଏବେ ଏବେ ଭାରତର ରେଜିଷ୍ଟାର ଜେନରାଲଙ୍କ ଦ୍ୱାରା ଜାରି ହୋଇଥିବା ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ ରିପୋର୍ଟ ୨୦୨୩ ମୁତାବକ ଦେଶରେ ଶିଶୁ ମୃତ୍ୟୁ ଦରରେ ସୁଧାର ଆସିଛି । ୨୦୧୩ ରୁ ପ୍ରତି ୧୦୦୦ ଶିଶୁରେ ୪୦ ଶିଶୁଙ୍କର ମୃତ୍ୟୁ ହେଉଥିବା ବେଳେ ଏବେ ଏହା ୨୫ କୁ ଖସିଛି । ଅର୍ଥାତ ଶିଶୁ ମୃତ୍ୟୁହାରରେ ୩୭.୫ ପ୍ରତିଶତ ହ୍ରାସ ହୋଇଛି ।
ଏସଆରଏସ ୨୦୨୩ ରିପୋର୍ଟ ମୁତାବକ ଶିଶୁ ମୃତ୍ୟୁହାର ୧୯୭୧ ମସିହା ତୁଳନାରେ ୮୦ ପ୍ରତିଶତ କମିଟି । ସବୁଠାରୁ ବଡ଼ କଥା ହେଉଛି ଦେଶର ୨୧ ରାଜ୍ୟର ସର୍ଭେ ରିପୋର୍ଟ ମୁତାବକ କେରଳ ଏଭଳି ଏକ ରାଜ୍ୟ ଏଠାରେ ୧୦୦୦ ଶିଶୁରେ ମାତ୍ର ୫ ଜଣ ଶିଶୁ ମୃତ୍ୟୁବରଣ କରୁଛନ୍ତି ।
ସେପଟେ ରିପୋର୍ଟ ମୁତାବକ ଦେଶରେ ଗତ ୫ ବର୍ଷ ମଧ୍ୟରେ ଜନ୍ମହାର ମଧ୍ୟ କମିି । ୧୯୭୧ ମସହାରେ ୩୬.୯ ଥିବା ବେଳେ ୨୦୨୩ ରିପୋର୍ଟ ମୁତାବକ ଏହା ୧୮.୪ ରେ ପହଂଚିଛି । ହେଲେ ଏବେ ବି ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଜନ୍ମହାର ଅଧିକ ରହିଛି । ରିପୋର୍ଟ କହୁଛି କି, ଗତ ୧୦ ବର୍ଷ ମଧ୍ୟରେ ଜନ୍ମହାର ୧୪ ପ୍ରତିଶତ କମିଛି ।