Car parking Photograph: (kanak news)
କନକ ବ୍ୟୁରୋ: ଦେଶରେ ଭୟଙ୍କର ଭାବରେ ବଢିଗଲାଣି ଗାଡ଼ି ସଂଖ୍ୟା। ପ୍ରତି ଘରେ ଏବେ ଅତି କମରେ ଗୋଟିଏ ଗାଡ଼ି ରହୁଥିବା ଦେଖିବାକୁ ମିଳିଛି । ଆଉ ସମ୍ଭ୍ରାନ୍ତ ଶ୍ରେଣୀ ଲୋକ ହେଲେ ଘର ପିଛା ଗୋଟିଏ ଲେଖାଏଁ କାର ଥିବା ସୁନିଶ୍ଚିତ । କିନ୍ତୁ ଗାଡ଼ି ସଂଖ୍ୟା ବଢିବାରେ ଲାଗିଛି ହେଲେ ରଖିବା ଲାଗି ସ୍ଥାନ ନାହିଁ । ଅର୍ଥାତ୍ ଘରେ ପାର୍କିଂର ବ୍ୟବସ୍ଥା ନାହିଁ । ତେଣୁ ରାସ୍ତା କଡରେ ଗାଡ଼ି ରଖୁଛନ୍ତି ଗାଡ଼ି ମାଲିକ । ସେଇଥି ଲାଗି ତ ଅନେକ ସମୟରେ ଦୁର୍ଘଟଣା ହେଉଛି । ଯାହାକୁ ନେଇ ସରକାର ଚିନ୍ତାରେ ଥିବା ବେଳେ ମହାରାଷ୍ଟ୍ର ଏମିତି ନିୟମ ଆଣିବାକୁ ଯାଉଛି ଯାହା ଦେଶରେ ପ୍ରଥମ ବୋଲି କୁହାଯାଉଛି ।
ଏଣିକି ପାର୍କିଂ ଏରିୟା ନଥିଲେ ଗାଡ଼ି କିଣିବା ମନା
ନୂଆ ନିୟମ ଆଣୁଛନ୍ତି ମହାରାଷ୍ଟ୍ର ସରକାର
ଗାଡି ପାର୍କିଂକୁ ନେଇ ନୂଆ ନିୟମ ଆଣିବ ମହାରାଷ୍ଟ୍ର
ଆଗେ ପାର୍କିଂ ଜାଗା ଚିହ୍ନଟ କର, ପରେ ଗାଡ଼ି କିଣିବ
ଅତ୍ୟଧିକ ଗାଡ଼ି ଚାଳନା ହେଉଥିବାକୁ ସହରରେ ଟ୍ରାଫିକ ଜାମ ସମସ୍ୟା ବି ରହୁଛି । ଇଏ କେବଳ ଗୋଟିଏ ସହରର କଥା ତାହା ନୁହେଁ ବରଂ ପୁରା ଦେଶର କଥା । ମୁମ୍ୱାଇରୁ ଚେନ୍ନାଇ…କୋଲକତାରୁ ଦିଲ୍ଲୀ…ଟ୍ରାଫିକ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି ଜନତା । ଅହେତୁକ ଟ୍ରାଫିକ ଜାମ ଲାଗି ଆମ୍ୱୁଲାନ୍ସ ସହ ଜରୁରୀକାଳୀନ ଗାଡ଼ି ବି ରାସ୍ତାରେ ଘଂଟାଘଂଟା ଲାଇନ୍ରେ ଛିଡା ହେଉଛି । ଏହାସହ ପ୍ରଦୂଷଣ ମାତ୍ରା ବି ବଢିବାରେ ଲାଗିଛି । ଦିଲ୍ଲୀର ଅବସ୍ଥା ସଙ୍ଗୀନ ହେବା ପରେ ଯୁଗ୍ମ-ଅଯୁଗ୍ମ ଗାଡ଼ି ବ୍ୟବସ୍ଥା ଆପଣାଇଛନ୍ତି ରାଜ୍ୟ ସରକାର । ଏବେ ମୁମ୍ବାଇରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଦେବେନ୍ଦ୍ର ଫଡନାଭିସ୍ ପାର୍କିଂଠୁ ହିଁ ଯୋଜନା ଆରମ୍ଭ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଆପ୍ ଜଣାଇଦେବ ପାର୍କିଂ ବ୍ୟବସ୍ଥା ଅଛି କି ନାହିଁ
ସହରର ବିଭିନ୍ନ ସ୍ଥାନରେ ନଗର ନିଗମ କରିବ ପାର୍କିଂ ବ୍ୟବସ୍ଥା
ସହରରେ ପାର୍କିଂକୁ ନେଇ ସମସ୍ୟା ରହିଥିବାରୁ ଏହାର ସମାଧାନ ଦିଗରେ କାମ କରୁଛନ୍ତି ଫଡନାଭିସ୍। ମୁଖ୍ୟମନ୍ତ୍ରୀ କହିଛନ୍ତି, ପାର୍କିଂକୁ ନେଇ ଆପ୍ ତିଆରି ହେଉଛି । ଏହି ଆପ୍ରେ ଆପଣ ନିଜର ପାର୍କିଂ ବ୍ୟବସ୍ଥା କଥା କହିବେ । ଏହାସହ ବିଏମସି ପକ୍ଷରୁ ବି ସହରର ବିଭିନ୍ନ ସ୍ଥାନରେ ପାର୍କିଂ କ୍ଷେତ୍ର ତିଆରି କରାଯିବ । ଯେଉଁମାନେ ଚାହିଁବେ ନିର୍ଦ୍ଧାରିତ ଟଙ୍କା ଦେଇ ଗାଡ଼ି ରଖିପାରିବେ ।
ମୁମ୍ୱାଇ: 'ସୁରକ୍ଷିତ ଥିଲା, ସୁରକ୍ଷିତ ଅଛି ଓ ସୁରକ୍ଷିତ ରହିବ'
ମୁମ୍ୱାଇ ଏବେ ସୁରକ୍ଷିତ ନୁହେଁ ବୋଲି ଅନେକ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଦେବେନ୍ଦ୍ର ଫଡନାଭିସ୍ । କହିଛନ୍ତି, ମୁମ୍ବାଇ ଦେଶର ସବୁଠୁ ଅଧିକ ସୁରକ୍ଷିତ ସହର । ପୂର୍ବରୁ ନଗର ନିଗମରେ ବି ମୁମ୍ବାଇ ସୁରକ୍ଷିତ ବୋଲି ଅନେକ ରିପୋର୍ଟ ଆସିଛି । ମୁମ୍ବାଇ ସୁରକ୍ଷିତ ଥିଲା, ଅଛି, ରହିବ ବୋଲି କହିବା ସହିତ ଅଭିନେତା ସୈଫ୍ ଅଲ୍ଲୀଙ୍କ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ନେବା ସହିତ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି ।
ସହରରେ ତିଆରି ହେବ ନୂଆ ହାଇୱେ ସହ ଫ୍ଲାଏ ଓଭର
ପୂର୍ବ ଅପେକ୍ଷା ଏବେ ମୁମ୍ୱାଇ ବିକାଶ ଖୁବ ଜୋରସୋରରେ ଚାଲିଛି । ଜନସଂଖ୍ୟା ବଢୁଥିବାରୁ ଯାନବାହନ ସଂଖ୍ୟା ବି ବଢୁଛି । ତେଣୁ ଟ୍ରାଫିକ ସମସ୍ୟାକୁ ନଜରରେ ରଖି ମୁମ୍ବାଇରେ ନୂଆନୂଆ ରାସ୍ତା ତିଆରି ହେବା ସହିତ ଫ୍ଲାଏ ଓଭର ବି ନିର୍ମାଣ କରାଯିବ । ଏନେଇ ପ୍ରକଳ୍ପର ଅନୁମାନ ସରିଛି, କେବଳ ଅନୁମୋଦନ ପରେ କାମ ଆରମ୍ଭ ହେବ । ନୂଆ ନୂଆ ରାସ୍ତା ତିଆରି ହେବା ପରେ ସହରରେ ଟ୍ରାଫିକ୍ ବ୍ୟବସ୍ଥା କମିବ ବୋଲି ଦେବେନ୍ଦ୍ର କହିଛନ୍ତି ।
Follow Us