କନକ ବ୍ୟୁରୋ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା । ନିଇତି ଲକ୍ଷାଧିକ ଲୋକ ବୁଡ଼ ପକାଇବା ସହିତ ଧର୍ମ ଓ ଆସ୍ଥା ଲାଗି ଭଗବାନଙ୍କୁ ଧ୍ୟାନ କରୁଛନ୍ତି । ଯେହେତୁ ଏଥର ୧୪୪ ବର୍ଷ ପରେ ନିଆରା ସଂଯୋଗ ପଡୁଛି ତେଣୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ସ୍ବାଭାବିକ କଥା । ହେଲେ ଏତେ ମାତ୍ରାରେ ଭକ୍ତଙ୍କ ସମାଗମ ଲାଗି ବିଷମ ସ୍ଥିତି ଉପୁଜୁଛି । କୁମ୍ଭକୁ ଯିବା ଲାଗି ଟିକେଟ୍‌ ଆଉ ମିଳୁନଥିବା କୁହାଯାଉଛି । ବସ୍‌ କି ଟ୍ରେନ୍‌ କି ପ୍ଲେନ୍‌…କୌଣସି ଯାନରେ ବି ଟିକେଟ୍‌ ମିଳିବା କଷ୍ଟକର ହୋଇପଡୁଥିବାରୁ ଏବେ ଚିନ୍ତାରେ ଜନତା । 

Advertisment

ମକର ସଂକ୍ରାନ୍ତି ଦିନ ବୁଡ଼ ପକାଇଥିଲେ ସାଢେ ତିନି କୋଟି

ମକର ସଂକ୍ରାନ୍ତି । କେବଳ ଗୋଟିଏ ଦିନରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଆଗାମୀ ୨୯ ତାରିଖରେ ପୁଣି ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା ପଡୁଛି । ତେଣୁ ଏହି ଦିନରେ ସାହି ସ୍ନାନ କରିବା ଲାଗି କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି କୁହାଯାଉଛି । ଜାତାୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏଥର ସାହି ସ୍ନାନରେ ପ୍ରାୟ ୧୦ କୋଟି ଲୋକ ବୁଡ ପକାଇବେ । ତେଣୁ ଏତେ ଲୋକଙ୍କ ସମାଗମ ହେଉଥିବା କାରଣରୁ ଟିକେଟ୍‌ ନମିଳିବା ଏକ ସାଧାରଣ କଥା । ଶ୍ରଦ୍ଧାଳୁଙ୍କ କହିବା କଥା, ଅମାବାସ୍ୟାରେ ସ୍ନାନ ଲାଗି ଆମେ କେବେଠୁ ଟିକେଟ କାଟୁଛୁ ହେଲେ ମିଳୁନି । ତେଣୁ କିଛି ଶ୍ରଦ୍ଧାଳୁ ନିଜ ଗାଡ଼ିରେ ଯିବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ଚର୍ଚ୍ଚା ବି ହେଉଛି । 
  
ମୌନୀ ଅମାବାସ୍ୟା ଲାଗି ବଢିଲା ପ୍ଲେନ୍‌ ଟିକେଟ୍‌

ଆସନ୍ତା ୨୯ ତାରିଖରେ ପଡୁଛି ମୌନୀ ଅମାବାସ୍ୟା । ତେଣୁ ଏହି ଦିନରେ ବୁଡ଼ ପକାଇବାକୁ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପ୍ରୟାଗରାଜ ଯିବେ । ଯାହାକୁ ନଜରରେ ରଖି ହଠାତ୍‌ ବିମାନ କମ୍ପାନୀ ପକ୍ଷରୁ ଟିକେଟ୍‌ ଦାମ ବଢାଯାଇଛି । ସୂଚନା ଅନୁସାରେ, ଚେନ୍ନାଇରୁ ପ୍ରୟାଗରାଜ ଯିବା ଓ ଆସିବା ବାବଦକୁ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିସାରିଛି । ବିମାନ କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚେନ୍ନାଇରୁ ପ୍ରୟାଗରାଜ ଯାଉଥିବା ପ୍ଲେନ୍‌ ଭାୟା ମୁମ୍ୱାଇ ଦେଇ ଅପରାହ୍ନ ୧.୧୫ରେ ପହଞ୍ଚିବ । ଜାନୁଆରୀ ୩୦ ତାରିଖରେ ସେହି ପ୍ଲେନ୍‌ ଅରରାହ୍ନ ୨ଟାରେ ପ୍ରୟାଗରାଜରୁ ବାହାରିବ । ଯେଉଁମାନେ ଏହି ବିମାନରେ ଯାତ୍ରା କରିବେ ସେମାନଙ୍କ ପ୍ରାୟ ଲକ୍ଷେ ୧୩ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ । 

ଦିଲ୍ଲୀରୁ ଗଲେ କେତେ ଖର୍ଚ୍ଚ ହେବ

ଯେଉଁ ଯାତ୍ରୀମାନେ ଦିଲ୍ଲୀରୁ ପ୍ରୟାଗରାଜ ଯିବାକୁ ଚାହୁଁଛନ୍ତି ସେମାନେ ଏୟାର ଇଣ୍ଡିଆ, ଇଣ୍ଡିଗୋ ସହିତ ଅନ୍ୟ ପ୍ଲେନ୍‌ରେ ବି ଯାତ୍ରା କରିପାରିବେ । ଇଣ୍ଡିଗୋ ଓ ସ୍ପାଇସ୍‌ ଜେଟ୍‌ ଆଦି ପ୍ଲେନ୍‌ରେ ଗଲେ ଟିକେଟ୍‌ର ମୂଲ୍ୟ ପାଖାପାଖି ୫୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ିବ । ଏହାସହ ମୁମ୍ବାଇରୁ ପ୍ରୟାଗ ରାଜ ଯିବାକୁ ହେଲେ ୬୦ ହଜାର, ହାଇଦ୍ରାବାଦରୁ ପ୍ରୟାଗରାଜ ୫୪ ହଜାର , ବେଙ୍ଗାଲୁରୁରୁ ପ୍ରୟାଗରାଜ ୭୦ ହଜାର, କଲିକତାରୁ ପ୍ରୟାଗରାଜ ୭୦ ହଜାର ଦର ରହିଥିବା ବେଳେ ଅହମ୍ମଦାବାଦରୁ ପ୍ରୟାଗରାଜ ୫୪ ହଜାର, ଭୁବନେଶ୍ବରରୁ ପ୍ରୟାଗରାଜ ୪୯ ହଜାର , ରାୟପୁରରୁ ପ୍ରୟାଗରାଜ ୪୮ ହଜାର, ଲକ୍ଷ୍ନୌରୁ ପ୍ରୟାଗରାଜ ୪୯ ହଜାର, ଗୌହାଟୀରୁ ପ୍ରୟାଗରାଜ ୫୦ ହଜାର ରହିଥିବା ବେଳେ ଜୟପୁରରୁ ପ୍ରୟାଗରାଜ ୫୪ ହଜାର ଟଙ୍କା ଦର ଧାର୍ଯ୍ୟ ହୋଇଛି

ସୂଚନା ଅନୁସାରେ, ମୌନୀ ଅମାବାସ୍ୟା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ଗସ୍ତରେ ଯାଉଛନ୍ତି । ତେଣୁ ଡିଜିସିଏ ଅତିରିକ୍ତ ୮୧ ବିମାନକୁ ଉଡ଼ାଇବାକୁ ଲାଗି ଅନୁମତି ଦେଇଛି । ଖାସ କରି ପ୍ରୟାଗରାଜକୁ ଏବେ ୧୩୨ ରୁ ଉର୍ଦ୍ଧ୍ବ ବିମାନ ଉଡ଼ାଣ ଭରିବ ବୋଲି କୁହାଯାଉଛି । ହେଲେ ଏତେ ମାତ୍ରାରେ ଦର ଥିବା ପରେ ବି ଯେଉଁପରି ଭାବରେ ଶ୍ରଦ୍ଧାଳୁ ପ୍ରୟାଗରାଜ ଯାତ୍ରାରେ ଯାଉଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଧର୍ମ ଓ ଆସ୍ଥାର ବୁଡ଼ ପକାଇବା ଲାଗି ଶ୍ରଦ୍ଧାଳୁ କେତେ ତତ୍ପର ଅଛନ୍ତି ।