କନକ ବ୍ୟୁରୋ : ଦ୍ରବ୍ୟ ଓ ସେବା କର ବା ଜିଏସଟିକୁ ନେଇ ଗତ କିଛି ବର୍ଷ ହେବ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ ସରକାର ଓ ବିରୋଧୀ ବାରମ୍ବାର ମୁହାଁମୁହିଁ ହେଉଛନ୍ତି । ଏହି କରକୁ କମ୍ କରିବାକୁ ବାରମ୍ବାର ବିରୋଧୀ ଦଳମାନେ ଦାବି କରିଆସୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି, ଏହି କର ଆପଣଙ୍କ ପକେଟ ଉପରେ କେତେ ପ୍ରଭାବ ପକାଉଛି । ଆସନ୍ତୁ ଜାଣିବା
ରେଡିମେଡ଼ କପଡା ଉପରେ ଜିଏସଟି କପଡାର ଦାମ ଉପରେ ନିର୍ଭର କରିଥାଏ । ଯଦି ଆପଣ କିଣୁଥିବା ରେଡିମେଡ୍ କପଡାର ଦାମ ୯୯୯ ଟଙ୍କା ତେବେ ଆପଣଙ୍କୁ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ହେଲେ ଏହାର ଦାମ ଯଦି ୧ ହଜାର ବା ତା ଠାରୁ ଅଧିକ ଟଙ୍କା ହୋଇଥାଏ ତେବେ ଆପଣଙ୍କୁ ୧୨ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଯଦି ଆପଣ ସିଲାଇ ହୋଇନଥିବା କପଡ଼ା କିଣୁଛନ୍ତି, ଯେମିତି କି ସୂତା, ସିଲ୍କ ତେବେ ଦାମ ଯେତେହେଲେ ବି ଆପଣଙ୍କୁ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ।
ଜୋତା ଉପରେ ବି ଜିଏସଟି ଜୋତାର ଦାମ ଉପରେ ନିର୍ଭର କରିଥାଏ । ୧ ହଜାର ଟଙ୍କାରୁ କମ୍ ଦାମର ଜୋତା, ଚପ୍ପଲ ଉପରେ ୫ ପ୍ରତିଶତ ଜିଏସଟି ଲାଗିଥିାଏ । ଯଦି ଏହାର ଦାମ ୧ ହଜାରରୁ ଅଧିକ ଟଙ୍କା ହୋଇଥାଏ ତେବେ ଆପଣଙ୍କୁ ୧୨ ପ୍ରତିଶତ ଜିଏସଟି ଦେବାକୁ ହେବ ।
ସରକାର ସାଧାରଣ କପଡ଼ା ଓ ଶାଢୀ ଉପରେ ଜିଏସଟି ସ୍ଲାବ ଅଲଗା କରିଛନ୍ତି । ଯଦି ଆପଣ ସୂତା, ସିଲ୍କର ସାଧାରଣ ଶାଢୀ କିଣୁଛନ୍ତି ତେବେ ଆପଣଙ୍କୁ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ, ହେଲେ ଯଦି ଆପଣ ଜଜିଟ୍, ସିକ୍ୱିନ, କଢାଇ ତଥା ଅନ୍ୟ ଦାମୀ ଶାଢୀ କିଣୁଛନ୍ତି ତେବେ ଆପଣଙ୍କୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଦେବାକୁ ପଡିବ ।
ଯଦି ଆପଣ ଭାବୁଥାନ୍ତି କୁନିପିଲାଙ୍କ କପଡା, ଜୋତା ଉପରେ ସରକାର ଜିଏସଟି ଛାଡ ହୋଇଛି ତେବେ ଆପଣ ଭ୍ରମରେ ଅଛନ୍ତି । ଛୋଟ ପିଲାଙ୍କ ଫ୍ରକ୍ ହେଉ କି ଜିନ୍ସ କିମ୍ବା ଜୋତା ୫ ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିବ ।
ଅନଲାଇନ୍ ସପିଂରେ ମଧ୍ୟ ସମାନ ଟ୍ୟାକ୍ସ, ଯେଉଁ ଟ୍ୟାକ୍ସ ଆପଣଙ୍କୁ ଅଫଲାଇନ୍ କିଣା ଉପରେ ଲାଗୁଛି, ସମାନ ଟ୍ୟାକ୍ସ ଆପଣଙ୍କୁ ଅନଲାଇନ୍ ସପିଂ ଉପରେ ମଧ୍ୟ ଲାଗୁଛି । ଡେଲିଭରି ଚାର୍ଜ ଓ ପ୍ଲାଟଫର୍ମ ଚାର୍ଜ ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡୁଛି । ଅର୍ଥାତ ଯଦି ଆପଣ ୯୯୯ ଟଙ୍କାର କପଡା ମଗାଇଛନ୍ତି ସେଥିରେ ଆପଣ ୫ ପ୍ରତିଶତ ଓ ଡେଲିଭରି ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡୁଛି ।