କନକ ବ୍ୟୁରୋ : ଜୋମାଟୋ, ଅମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀରେ କାମ କରୁଥିବା ଲକ୍ଷ ଲକ୍ଷ ଡେଲିଭରି କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ସରକାର କରିପାରନ୍ତି ବଡ଼ ଘୋଷଣା । ଏହି କର୍ମଚାରୀଙ୍କୁ ସରକାର ଦେଇପାରନ୍ତି ପେନସନ୍ । ଏନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସରକାରଙ୍କ ଏଭଳି ପ୍ରସ୍ତାବକୁ ଓଲା, ଓବେର, ଅମାଜନ, ଫ୍ଲିପକାର୍ଟ, ଜୋମାଟୋ ଭଳି କମ୍ପାନୀ ସ୍ୱୀକାର କରିଛନ୍ତି । ଆସନ୍ତା ମାସରେ କେନ୍ଦ୍ର କ୍ୟାବିନେଟରେ ଏନେଇ ପ୍ରସ୍ତାବ ପାରିତ ହୋଇପାରେ !

Advertisment

ବାସ୍ତବରେ ଡେଲିଭରି କର୍ମଚାରୀମାନେ ଅନଲାଇନ କମ୍ପାନୀରେ ଚୁକ୍ତି ଆଧାରରେ କାମ କରିଥାନ୍ତି । ସେମାନଙ୍କୁ ସେମାନଙ୍କ କାମ ଆଧାରରେ ଟଙ୍କା ମିଳିଥାଏ । ଏଥିରେ ଫ୍ରି ଲାନ୍ସର୍ସ, ଅନଲାଇନ୍ ସେବା ଦେଉଥିବା କର୍ମଚାରୀ, କଣ୍ଟେଟ୍ କ୍ରିଏଟରମାନେ ବିଭିନ୍ନ କମ୍ପାନୀ ସହ ଜଡିତ ଅଛନ୍ତି । ଏଥିରେ ଡେଲିଭରି କାମ କରୁଥିବା, କ୍ୟାବ୍ ଡ୍ରାଇଭର ମଧ୍ୟ ସାମିଲ ଅଛନ୍ତି । 

ଏଭଳି କର୍ମଚାରୀଙ୍କୁ ପେନସନ୍ ଦେବାକୁ ଅମାଜନ, ଜୋମାଟୋ ଭଳି କମ୍ପାନୀ ସହମତି ଦେବା ସହ ଏଥିପାଇଁ ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାକୁ ରାଜି ହୋଇଛନ୍ତି । କମ୍ପାନୀ ଏଭଳି କର୍ମଚାରୀଙ୍କ ନାମରେ ଥିବା ଇପିଏଫଓ ଖାତାରେ ଅର୍ଥ ଜମା କରିବେ । ଏହାସହ ଏହି କର୍ମଚାରୀଙ୍କ ପାଖରେ ପେନସନ୍ ପାଇବା ପାଇଁ ଦୁଇଟି ବିକଳ୍ପ ରହିବ । 

କହିରଖୁ କି, ଦୀର୍ଘଦିନ ହେବ ଏଭଳି କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଦାବି ହୋଇଆସୁଥିଲା । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରିବାକୁ କହିଥିଲେ । ଏହି ପ୍ଲାଟଫର୍ମ ମାଧ୍ୟମରେ କର୍ମଚାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱାସ୍ଥ୍ୟସେବା ସହ ଅନ୍ୟାନ୍ୟ ଲାଭ ପ୍ରଦାନ କରାଯାଇପାରିବ ।