Employee Work Photograph: (kanak news)
କନକ ବ୍ୟୁରୋ: ପ୍ରକୃତରେ କର୍ମଚାରୀମାନେ ଦିନକୁ କେତେ ଘଂଟା କାମ କରିବାର ଆବଶ୍ୟକତା ରହିଛି । ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରିବା ପରେ ଅନେକ ନିଜସ୍ବ ମନ୍ତବ୍ୟ ରଖନ୍ତି । କିଏ କିଏ ସପ୍ତାହକୁ ୪୮ ଘଂଟା ତ ଆଉ କିଏ ଆଉ କଣ କୁହନ୍ତି । ହେଲେ ଏଲଏନଟିର ଚେୟାରମ୍ୟାନ ୭୫-୯୦ ଘଂଟା କାମ କରିବାର ଆବଶ୍ୟକତା ରହିଥିବା କହିବା ପରେ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏମିତିକି ଏହାକୁ ଜୋରଦାର ବିରୋଧ ବି କରାଯାଇଥିଲା । ହେଲେ ଏବେ ପୁଣି ଥରେ କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଠିକ୍ ବଜେଟ୍ ପୂର୍ବରୁ ।
ବଜେଟ୍ ପୂର୍ବରୁ ସଂସଦରେ ପହଞ୍ଚିଛି ଇକୋନୋମିକ୍ ସର୍ଭେ ରିପୋର୍ଟ । ଏହି ରିପୋର୍ଟରେ ଭାରତର ପୂର୍ବ ଓ ଏବେର ଆର୍ଥିକ ଅବସ୍ଥା ସହ ଭବିଷ୍ୟତର କାର୍ଯ୍ୟପନ୍ଥୀ ସମ୍ପର୍କରେ କୁହାଯାଇଛି । ଖାଲି ଏତିକି ନୁହେଁ ବରଂ କର୍ମଚାରୀଙ୍କ କାମ ଉପରେ ନିର୍ଦ୍ଦିଷ୍ଟ ସୀମାର ରୋକ ଲାଗିଲେ ଉତ୍ପାଦନ କମୁଛି । କେନ୍ଦ୍ର ସରକାର ଏମିତି ବୟାନ ସେତେବେଳେ ରଖିଛନ୍ତି, ଯେତେବେଳେ କାମ ସମୟ ଧାର୍ଯ୍ୟକୁ ନେଇ ପୁରା ଦେଶରେ ଚହଳ ସୃଷ୍ଟି ହୋଇଛି ।
ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ସପ୍ତାହ, ମାସ କିମ୍ବା ବର୍ଷକୁ କର୍ମଚାରୀଙ୍କ ଲାଗି ଜାରି ହୋଇଥିବା ଡ୍ୟୁଟି ଚାଟ୍ ଅର୍ଥାତ୍ କାମ କରିବାର ମାର୍ଗଦର୍ଶିକାକୁ ଦେଖିଲେ ଏମିତି ମନେ ହେଉଛି, ସେମାନେ ଯଦି ଅଧିକ କାମ କରି ଅଧିକ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିବାକୁ ଇଚ୍ଛା ରଖୁଛନ୍ତି ତାହାଲେ ଏହି ନିୟମ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଉଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ର' ମେଟେରିଆଲକୁ ପ୍ରଡକ୍ସନ କରିବା ପର୍ଯ୍ୟନ୍ତ ଯେତିକି ସମୟ ଲାଗେ ସେତିକି ସମୟ ନିର୍ଦ୍ଧାରିତ ସମୟରେ ବେଳେ ବେଳେ ହୋଇପାରୁନାହିଁ । ଯାହାଦ୍ବାରା ମାନ୍ଦାବସ୍ଥା ଦେଖିବାକୁ ମିଳୁଛି । ତେଣୁ ଏଥିରେ ପରିବର୍ତ୍ତନ କରିବା ଦରକାର ବୋଲି ଅନେକ ସର୍ଭେରେ ମତ ଦିଆଯାଇଛି । ହେଲେ ଏନେଇ ଭାରତ ସରକାର କୌଣସି ସ୍ପଷ୍ଟୋକ୍ତି ଦେଇନାହାନ୍ତି ।
ଭାରତର ସ୍ଥିତି କଣ
୧୯୪୮ ଭାରତର ଫ୍ୟାକ୍ଟ୍ରି ଆକ୍ଚ ସେକ୍ସନ ୫୧ ଅନୁସାରେ, କୌଣସି ବୟସ୍କ କର୍ମଚାରୀମାନେ ସପ୍ତାହରେ ୪୮ ଘଂଟାରୁ ଅଧିକ କାମ କରିପାରିବେ ନାହିଁ । ଏହାସହ ସମାନ ଆକ୍ଟ ସେକ୍ସନ ୬୫(୩) ଆଇଭି ଅନୁସାରେ କୌଣସି କର୍ମଚାରୀ ବି ଲଗାତାର ୭ ଦିନରୁ ଅଧିକ ଓଭର ଟାଇମ୍ କରିପାରିବେ ନାହିଁ । ଏହାସହ କୌଣସି କ୍ବାଟରରେ ଅର୍ଥାତ୍ ୯୦ ଦିନ ଭିତରେ ୭୫ ଘଂଟାରୁ ଅଧିକ ଓଭର ଟାଇମ୍ କରିପାରିବେ ନାହିଁ । କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏମିତି ନିୟମ କରାଯାଇଥିବା କୁହାଯାଉଛି ।
ସର୍ଭେ ରିପୋର୍ଟ ଅନୁସାରେ, ଭାରତରେ ଅନେକ ପର୍ବପର୍ବାଣୀ ପାଳନ ହୁଏ । ତେଣୁ ବେଳେ ବେଳେ ବିଭିନ୍ନ କମ୍ପାନୀ ଏଇଥି ପାଇଁ ଅଧିକ ପରିଶ୍ରମ କରନ୍ତି । ବଜାର ସ୍ଥିତିକୁ ଦେଖି, ବେପାରକୁ ଆଖିରେ ରଖି କର୍ମଚାରୀଙ୍କୁ କାମ ପ୍ରେସର ଦିଆଯାଏ । ଏମିତି ସ୍ଥିତିରେ ସିଜିନ୍ ଦେଖି କର୍ମଚାରୀମାନେ ଅଧିକ କାମ କରିବେ ଓ ପରବର୍ତ୍ତୀ ସମୟରେ ବଜାର ସ୍ଥିତି ଖରାପ ହେଲେ ସେମାନେ କମ କାମ କରିବା ନେଇ ନିୟମ ଆସୁ ବୋଲି ଅନେକ ଦାବି କରିଛନ୍ତି । ଅବଶ୍ୟ ଏନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି କି ନାହିଁ, ପ୍ରସ୍ତାବ ଉପରେ ବିଚାର ଚାଲିଛି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
Follow Us