କନକ ବ୍ୟୁରୋ : ବିଦେଶୀ ଟ୍ୟାଲେଣ୍ଟକୁ ପ୍ରଲୋଭିତ କରିବାକୁ ଚୀନ ଏବେ ଏକ ବଡ଼ ପଦକ୍ଷେପ ନେଇଛି । ଚୀନ ଷ୍ଟେଟ୍ କାଉଁସିଲ ଘୋଷଣା କରିଛି କି, ଦେଶରେ ଅକ୍ଟୋବର ପହିଲାରୁ "କେ' ଭିସା ଲାଗୁ ହେବ । ଯାହାକି ଆମେରିକାର ଏଚ୍-୧ ଭିସା ଭଳି । ଏହାର ଉର୍ଦ୍ଦେଶ୍ୟ ରହିଛି କି, ବିଶେଷ କରି ଏସିଆ ଓ ଦକ୍ଷିଣ ଏସିଆର ଯୁବକଙ୍କୁ ପ୍ରଲୋଭିତ କରିବା । ଯେଉଁମାନେ ବିଜ୍ଞାନ, ଟେକ୍ନୋଲୋଜି ଓ ଇଂଜିନିୟରିଂ ଭଳି କ୍ଷେତ୍ରରେ କାମ କରୁଛନ୍ତି । ସେପଟେ ଆମେରିକାରେ ବିଦେଶୀ ପ୍ରଫେସନାଲମାନଙ୍କ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍-୧ବି ଭିସା ଉପରେ ବାର୍ଷିକ ୧ ଲକ୍ଷ ଡଲାର ଦେୟ ଆଦାୟ କରିବାକୁ ପ୍ରସ୍ତାବ ରଖିଛନ୍ତି । ଯାହାକୁ ନେଇ ଆମେରିକାରେ ଏଚ୍-୧ବି ଭିସାରେ ରହି କାମ କରୁଥିବା ପ୍ରଫେସନାଲମାନଙ୍କ ଚିନ୍ତା ବଢିଛି । ଏଭଳି ସ୍ଥଳେ "କେ' ଭିସା ଲାଗୁ କରି ଚୀନ ସେହି ପ୍ରଫେସନାଲମାନଙ୍କ ପାଇଁ ଏକ ବିକଳ୍ପ ରାସ୍ତା ଖୋଲିଛି । 

Advertisment

ଚୀନର ଏହି ଭିସା ପାଇଁ ଆଗ୍ରହୀମାନଙ୍କୁ କୌଣସି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏଥିପାଇଁ ବିଦେଶୀ ଆବେଦକମାନେ କୌଣସି ଲୋକାଲ ସ୍ପନ୍ସର କି ଚୀନ କମ୍ପାନୀର ଆବଶ୍ୟକତା ପଡ଼ିବ ନାହିଁ । ଅର୍ଥାତ କୌଣସି ବି ଯୋଗ୍ୟ ଆବେଦନକାରୀ ସିଧା ସଳଖ ଏହି ଭିସା ପାଇଁ ଆବେଦନ କରିପାରିବେ । ଏହି ଭିସା ଏବେ ପ୍ରଚଳିତ ୧୨ ଭିସା ସହ ଯୋଡି ହୋଇ ୧୩ ତମ କାଟାଗୋରିରେ ରହିଛି । ଏହି ଭିସା ପାଇବାକୁ ହେଲେ ଆବେଦନକାରୀଙ୍କୁ ମୁଖ୍ୟତ ସେମାନଙ୍କ ଯୋଗ୍ୟତା ଦାଖଲ କରିବାକୁ ପଡ଼ିବ । 

ଏହି ଭିସା ବିଶେଷ କରି ଯୁବ ବିଜ୍ଞାନ  ଓ ଟେକ୍ନୋଲୋଜି ପ୍ରଫେସନାଲଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ବିଜ୍ଞାନ, ଟେକ୍ନୋଲୋଜି, ଇଂଜିନିୟରିଂ ଛାତ୍ର ଓ ପ୍ରଫେସନାଲକୁ ଏଥିରେ ପ୍ରାଥମିକତା ଦିଆଯିବ । ଏଥିରେ ସର୍ତ ରହିଛି କି, ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ କୋର୍ସ ସମାପ୍ତ କରିଥିବେ । ଏହା ମାଧ୍ୟମରେ ଚୀନ ଆଶା କରୁଛି କି, ହଜାର ହଜାର ଟ୍ୟାଲେଣ୍ଟ ପ୍ରଫେସନାଲ ଆମେରିକାରୁ ବାହାରି ଚୀନ ମୁହାଁ ହେବେ ।