କନକ ବ୍ୟୁରୋ: ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଛି । ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି । ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ ଅପେକ୍ଷା ନକରି ଆଳତି କରିଦେଇଥିଲେ । ଆଳତି ସରିବା ପରେ ପଲଙ୍କ ବିଜେ ହୋଇଛି । ଯଦିଓ ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ ବିଭ୍ରାଟ ନୁହେଁ, ତଥାପି ଏଭଳି ଏକ ଭୟଙ୍କର ତ୍ରୁଟିକୁ ନେଇ ବରିଷ୍ଠ ସେବାୟତ ଓ ଗଣନାକାରୀମାନେ ନାନା ଆଶଙ୍କା କରିଛନ୍ତି । ଏଭଳି ବିଭ୍ରାଟ ହେଲେ କେବଳ ରାଜ୍ୟ ନୁହେଁ, ବରଂ ସମଗ୍ର ଦେଶ ପ୍ରତି ବିପଦ ମାଡ଼ି ଆସିବ ବୋଲି ସେମାନେ ଆକଳନ କରିଛନ୍ତି ।

Advertisment

ଶନିବାର ରାତି ୧୧ଟା ୨୫ରେ ବଡ଼ସିଂହାର ଭୋଗ ହୋଇଥିଲା । ବଡ଼ସିଂହାର ଭୋଗ ପରେ ପରେ ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା କଥା । ପଲଙ୍କଗୁଡ଼ିକ ଏବେ ଅସ୍ଥାୟୀ ଘରେ ରଖାଯାଇଛି । ଅସ୍ଥାୟୀ ଘରୁ ପଲଙ୍କ ଆସିବାକୁ ପୁଷ୍ପାଳକ ସେବାୟତମାନେ ଅପେକ୍ଷା କରିଥିଲେ । ଚାଙ୍ଗଡ଼ା ମେକାପ ସେବାୟତ ଏହି ପଲଙ୍କ ନେଇ ଆସିବା କଥା । କିନ୍ତୁ ସମୟ ଗଡ଼ି ଚାଲିଥିଲା, ସେମାନେ ଆସୁ ନଥିଲେ । ବାସ୍ତବରେ କେହି ଭିଆଇପି ଦର୍ଶନ କରିବାକୁ ଆସିବାକୁ ଥିବାରୁ ବରିଷ୍ଠ ଅଧିକାରୀମାନେ ସେବାୟତଙ୍କୁ କହି ଏହି ପ୍ରକ୍ରିୟାକୁ ବିଳମ୍ୱିତ କରାଉଥିବା ଶୁଣିବାକୁ ମିଳିଥିଲା । ଏଭଳି ଖବର ପହଞ୍ଚିବା ପରେ ପୁଷ୍ପାଳକ ସେବାୟତମାନେ ବିଗିଡ଼ି ଯାଇଥିଲେ । ଏଣୁ ପଲଙ୍କ ବିଜେ ନହେଉଣୁ ଆଳତି ଆରମ୍ଭ କରିଦେଇଥିଲେ । ଆଳତି ପରେ ପଲଙ୍କ ବିଜେ ହୋଇଥିଲା । ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହେବା ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଭିଆଇପି ଦର୍ଶନ ପାଇଁ ଆସିବାକୁ ଥିବାରୁ ଜିଲ୍ଲା ପ୍ରଶାସନର ଅଧିକାଂଶ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେମାନଙ୍କ ସମ୍ମୁଖରେ ଏହି ସବୁ ଘଟଣା ଘଟିଥିଲା ।

ଏତିକିରେ କଥା ସରିନଥିଲା । ଚାଙ୍ଗଡ଼ା ମେକାପମାନେ ପଲଙ୍କ ଆଣି ରଖିବା ବେଳେ ମହାପ୍ରଭୁଙ୍କ ପଲଙ୍କ ଗୋଟିଏ ଗୋଡ଼ର କିଛି ଅଂଶ ଭାଙ୍ଗି ଯାଇଥିବାରୁ ଏହା ଚଟାଣରେ ଲାଗୁ ନଥିଲା । ପୂର୍ବରୁ ଅନେକ ଥର ଚାଙ୍ଗଡ଼ା ମେକାପ ସେବାୟତମାନେ ଏହି ପଲଙ୍କ ଗୋଡ଼ର ସ୍ଥିତି ନେଇ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ନଥିଲା । ଏଣୁ ଆଜି ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ଏ ବାବଦରେ ଅବଗତ କରାଇଥିଲେ । ଜଣେ ଚାଙ୍ଗଡ଼ା ମେକାପ ସେବାୟତ ବଡ଼ ପାଟିରେ କହିଥିଲେ, ଠାକୁରଙ୍କ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ମହାପ୍ରଭୁଙ୍କ ପଲଙ୍କ ମରାମତି ହେଇ ପାରୁନାହିଁ ।