କନକ ବ୍ୟୁରୋ: ବିଳମ୍ୱିତ ରାତିରେ ସିରିଜ ବୋମା ମାଡ଼ରେ ଥରିଲା ରାଜଧାନୀ । ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ବସ୍ତି ଭିତରେ ବୋମାମାଡ଼ ହୋଇଛି । ଭୁବନେଶ୍ୱରରେ ଗୌତମ ନଗର ବସ୍ତି ଏବଂ ଆଶୋକ ନଗର ଫାଳିକିଆ ବସ୍ତି ଭିତରେ ୮ଟି ବୋମା ମାଡ଼ ହୋଇଥିବା ସୂଚନା । ଏଥିରେ କେହି ଆହତ ହୋଇନଥିଲେ ମଧ୍ୟ ଏହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ତେବେ କିଏ ବୋମାମାଡ଼଼ କଲା ? କାହିଁକି ବୋମାମାଡ଼଼ କଲା ? ତାହା ଏବେ ବି ଅସ୍ପଷ୍ଟ ଅଛି । ଖବର ପାଇ ବଡ଼ଗଡ଼ ଓ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ ଉଦ୍ୟମ କରାଯାଉଛି । ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧ଟା ସମୟରେ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ସ୍ଥାନୀୟ ଅଞ୍ଚଳରେ ଚକ୍କର କାଟିଥିଲେ । ସୁଯୋଗ ପାଇ ଅତର୍କିତ ଭାବେ ପ୍ରଥମେ ଗୌତମ ନଗର ବସ୍ତିରେ ୫ଟି ଓ ପରେ ଫାଳିକିଆ ବସ୍ତିରେ ୩ଟି ବୋମାମାଡ଼଼ କରିଥିଲେ । ଘନଘନ ବୋମା ମାଡ଼ ଯୋଗୁଁ ପ୍ରଚଣ୍ଡ ଶବ୍ଦ ଶୁଣି ପ୍ରାଣ ବିକଳରେ ସ୍ଥାନୀୟ ଲୋକେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ । ବୋମାମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି । କିଛି ସ୍ଥାନୀୟ ଲୋକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରି ତଥ୍ୟ ପାଇଛି । ପାର୍ବଣ ଆରମ୍ଭରୁ ଅପରାଧୀଙ୍କ ଦୌରାତ୍ମ୍ୟ ପୁଲିସର ନିଦ ହଜାଇଦେଇଛି । ଅପରାଧୀଙ୍କୁ ସାବାଡ଼ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।