କନକ ବ୍ୟୁରୋ: ଥକି ନଥିଲି ତୁମେ ମୋତେ ଥକେଇ ଦେଲ । ଆଉ କେତେ କହିଥିଲେ ଶୁଣିଥାଆନ୍ତା ପ୍ରଶାସନ । ପ୍ରିନ୍ସପାଲରୁ କଲେକ୍ଟର, ମନ୍ତ୍ରୀଠୁ ସାଂସଦ ଆଉ କହାକୁ ବା ଜଣାଇଥାଆନ୍ତି । ଆଶ୍ୱସନା କମ୍ ହତୋତ୍ସାହିତ ଅଧିକ, ଆଉ କେତେ ବା ସହିଥାଆନ୍ତି । ଏ ଜୁଇର ନିଆଁରୁ ମୁଁ ଏବେ ପ୍ରଶ୍ନ ପଚାରୁଛି । କଣ ଥିଲା ମୋ ଭୁଲ? ନିଜ ପାଇଁ ଲଢ଼େଇ କରିବା କଣ ପାପ? ନିଜ ପ୍ରତି ହେଉଥିବା ଅତ୍ୟାଚାର ପାଇଁ ସ୍ୱର ଉଠାଇବା କଣ ଭୁଲ? ନା ନ୍ୟାୟ ପାଇବା ପାଇଁ ମରିବା ହିଁ ଶେଷ ବାଟ?

Advertisment

ଅନେକଙ୍କ ପାଇଁ ମୁଁ ନ୍ୟାୟ ମାଗିଛି ହେଲେ ମୁଁ ନିଜେ ଏ ନ୍ୟାୟର ଲଢ଼େଇରେ ହାରିଯାଇଛି । ବାପା ତମେ କହିଥିଲ ଗୁରୁଦ୍ରୋହି ନ ହେବା ପାଇଁ... ବେଶ କିଛି ଦିନ ଚୁପ୍ ରହିଲି, ଆଉ ପାରିଲି ନାହିଁ । ଜାଣିବାକୁ ଚେଷ୍ଟା କରିଲି, ହେଲେ ଆଉ ସହିପାରିଲିନି । ଶେଷରେ ମୋ ସହପାଠୀଙ୍କ ଦ୍ୱାରା ମୋତେ ଦୋଷୀ ସଜାଇଦେଲେ । ଗୁହାରୀ କେବଳ ବ୍ୟବସ୍ଥା ପାଖରେ କରିନି, ଥକିଯାଇଛି ସମସ୍ତଙ୍କ ପାଖରେ । ଅପରାଧ କରି ନଥିଲି, କେବଳ ନ୍ୟାୟ ମାଗୁଥିଲି । ନ୍ୟାୟ ଲଢ଼େଇରେ ସିନା ମୁଁ ଜଳିଗଲି ହେଲେ କହିଦେଇ ଯାଉଛି ନ୍ୟାୟର ଜିତ୍ ଅଛି । ବ୍ୟାସଙ୍କ ମାଟିରେ ରେବତୀ ସିନା ଜଳିଯାଉଛି ହେଲେ କହିଦେଇଯାଉଛି ଆଉ କେଉଁ ସୌମ୍ୟାଶ୍ରୀ ସହ ଏମିତି ନଘଟୁ । 

ଏ ଜୁଇର ନିଆଁରେ ଜଳିଗଲା ମୋ ସ୍ୱପ୍ନ, ଭାଙ୍ଗିଗଲା ମୋ ପରିବାର । ମୋ ବାପା, ମାଙ୍କ କୋଳ ଆଜି ଖାଲି ହୋଇଗଲା । ମୋ ଭାଇ ଆଜି ଏକା ହୋଇଗଲା । ଯେଉଁମାନେ ମୋ ସ୍ୱପ୍ନକୁ ଜାଳିଛନ୍ତି, ଆଉ ମୋତେ ଜଳିବାକୁ ବାଧ୍ୟ କରିଛନ୍ତି, ସେମାନେ ବି ଏ ଜୁଇ ନିଆଁ ପରି ଦିନେ ଜଳିଯିବେ ।