କନକ ବ୍ୟୁରୋ: ଛତିଶଗଡ଼ରେ ୩ ଦିନ ତଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ମାଓନେତା ବାସବ ରାଜୁ ସମେତ ୨୭ ଜଣ ମାଓବାଦୀ ନିପାତ ହୋଇଥିଲେ । ଆଜି ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେପଟେ ମୃତ୍ୟୁ ପୂର୍ବରୁ ବଡ଼ ଆକ୍ରମଣ ଆଶଙ୍କା କରି ବାସବରାଜୁର ଶେଷ ଚିଠି ପୁଲିସ ଜବତ କରିଛି । ମାଓ ସଂଗଠନ ଦୁର୍ବଳ ହୋଇଥିବା ଓ ଭୟରେ ଆତ୍ମସମର୍ପଣ କରୁଥିବା ଏସବୁ ଘଟଣାରୁ ସ୍ପଷ୍ଟ ହେଉଛି ।
ମେ’ ୨୧ ତାରିଖରେ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜୁ ସମେତ ୨୭ ମାଓବାଦୀ ସଫା ହୋଇଯାଇଥିଲେ । ଆଜି ଛତିଶଗଡ଼ ବିଜାପୁରଠାରେ ୨୪ ଜଣ କ୍ୟାଡର ମାଓବାଦୀ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଓଡ଼ିଶା କେକେବିଏନ୍ ଡିଭିଜନରେ ସକ୍ରିୟ ଥିଲା । ଆତ୍ମସମର୍ପଣ କରିଥିବା ୨୪ଜଣଙ୍କ ନାଁରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସମସ୍ତଙ୍କୁ ବଜାପୁର ଏସପି ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରି ସମାଜର ମୁଖ୍ୟଧାରାକୁ ସ୍ବାଗତ କରିଛନ୍ତି।
ନାଲିକାଳିରେ ଲେଖାଥିବା ଏହି ଚିଠି ଟପ୍ ମାଓନେତା ନମ୍ବାଲା କେଶବ ରାଓ ଓରଫ ବାସବରାଜୁଙ୍କ ଡାଏରିରୁ ଜବତ ହୋଇଛି । ସେ ଲେଖିଛନ୍ତି, ପ୍ରିୟ କମ୍ରେଡ୍! ଆପ୍ ଲୋଗୋ କହିଁଭି ଛୁପ୍ ଯାଓ । ଆପ୍ ଲୋଗୋକୋ ଖୋଜକର ନିକାଲକେ ଡିଆରଜି ଫୋର୍ସ ମାରେଙ୍ଗେ । ବାସବରାଜୁ ଏହିଚିଠି ମୃତ୍ୟୁ ପୂର୍ବରୁ ଲେଖିଥିବା ପୁଲିସ ଅନୁମାନ କରୁଛି । ବାସବରାଜୁ ୨୫ ବର୍ଷ ଧରି ମାଓବାଦୀଙ୍କ ମିଲିଟାରି କମାଣ୍ଡର ଥିଲେ । ଶତ୍ରୁକୁ ମାତ୍ ଦେବାରେ ପାରଙ୍ଗମ ଥିଲେ ବାସବରାଜୁ । ହେଲେ, ପୂର୍ବରୁ ଆକ୍ରମଣ ଆଶଙ୍କା କରିଥିଲେ ବି ନିଜକୁ ସୁରକ୍ଷା ଦେଇପାରିଲେ ନାହିଁ ବାସବରାଜୁ ।..