କନକ ବ୍ୟୁରୋ : ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ବିଭିନ୍ନ ଦେଶରୁ ପ୍ରବାସୀମାନେ ଓଡ଼ିଶାରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶା ତଥା ଭାରତକୁ ନେଇ ପ୍ରବାସୀଙ୍କର କଣ ଭିଜନ ରହିଛି ସେନେଇ ହେବ ଆଲୋଚନା । ଆତିଥେୟତାରେ ଯେପରି ତ୍ରୁଟି ନରୁହେ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଏସବୁ ଭିତରେ ଓଡ଼ିଶାର କଳା, ସଂସ୍କୃତିକୁ ପୂରା ବିଶ୍ୱ ଦରବାରରେ ପରିଚିତ କରିବାକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଏବେ ସୁଯୋଗ ସୃଷ୍ଟି କରିଛି ।

Advertisment

କିଏ ଦୀର୍ଘ ବର୍ଷ ପରେ ତ ପୁଣି କିଏ ପ୍ରଥମ ଥର । ଓଡ଼ିଶା ମାଟିରେ ପଡିଛି ପ୍ରବାସୀଙ୍କ ପାଦ । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ପ୍ରବାସୀଙ୍କୁ ବିମାନବନ୍ଦରରୁ ଭବ୍ୟ ସ୍ୱାଗତ କରାଯାଇଛି । ଓଡ଼ିଶାର ଲୋକବାଦ୍ୟର ତାଳେତାଳେ ଝୁମିଛନ୍ତି ପ୍ରବାସୀ । ଆଗାମୀ ୩ ଦିନ ଓଡ଼ିଶାରେ ରହି ପ୍ରବାସୀ ମାନେ ଓଡ଼ିଶାର କଳା, ସଂସ୍କୃତି ସହ ପରିଚିତ ହେବେ । ଆଉ ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ।

- ଓଡ଼ିଶାର ୨୧ ପର୍ୟ୍ୟଟନସ୍ଥଳୀକୁ ଅତିଥିଙ୍କୁ ନିଆଯିବ 
- ଆଦିବାସୀ ମେଳା, ଚିଲିକା ଉତ୍ସବ ବୁଲି ଦେଖିବେ ପ୍ରବାସୀ 
- ଉତ୍ସବକୁ ଆକର୍ଷଣୀୟ କରିବାକୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ

ଅତିଥି ଦେବୋ ଭବଃ । ଏହି ମୂଳମନ୍ତ୍ରକୁ ଆଧାର କରି ରାଜ୍ୟ ସରକାର ଆତିଥେୟତାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସଂଗ୍ରହାଳୟରେ ନୂତନ ଗ୍ୟାଲେରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

- ନୂଆ ଗ୍ୟାଲେରୀରେ ତାଳପତ୍ର ପୋଥିରେ ଲିଖିତ ରାମାୟଣ ଦେଖିବେ ପ୍ରବାସୀ
- ମ୍ୟୁଜିୟମରେ ନେଇପାରିବେ ଓଡ଼ିଶାର ପାରମ୍ପରିକ ପିଠା ଓ ମିଠାର ମଜା

ଏହାସହ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ବାବଦରେ ଜାଣିବା ପାଇଁ ପ୍ରବାସୀଙ୍କ ସହ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁରର ହସ୍ତଶିଳ୍ପ ବୁଲି ଦେଖିଥିଲେ ।

ଯୁବ ସମାବେଶରୁ ଆରମ୍ଭ ହେବ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ମୋଦୀ ୯ ତାରିଖରେ ଏହାକୁ ଆନୁଷ୍ଠନିକ ଭାବେ ଉଦଘାଟନ କରିବେ । ଅନ୍ତିମ ଦିନରେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ବାବଦରେ ନିଜ ଅନୁଭୂତି ପ୍ରବାସୀଙ୍କ ସହ ବାଣ୍ଟିବେ ।