କନକବ୍ୟୁରୋ : କଟକ ସିଡିଏରେ ବଡ଼ ଜମି କେଳେଙ୍କାରୀ । ଶହେ କୋଟିର ଜମିକୁ ୩କୋଟିରେ ବିକ୍ରି କରିଦେବାକୁ ଚାଲିଛି ମସୁଧା।  ଟେଣ୍ଡର ପ୍ରକ୍ରୀୟାରେ ବଡ଼ ଷଡ଼୍‌ଯନ୍ତ୍ର ହୋଇଥିବା ସନ୍ଦେହ ।  ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ହାତ ଥିବା ଆଶଙ୍କା କରାଯାଉଛି । କଟକର ସିଡିଏ ସେକ୍ଟର-୬ ଅଞ୍ଚଳରେ ଜମି କେଳେଙ୍କାରୀ ନେଇ ବଡ଼ ଅଭିଯୋଗ ହୋଇଛି । ମୂଲ୍ୟବାନ ସରକାରୀ ଜମିକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେକି ଦେବାର ମସୁଧା ହୋଇଛି ।

Advertisment

ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ବାଧ୍ୟତାମୂଳକ : ଷଷ୍ଠରୁ ଦଶମ ପିଲାଙ୍କ ପାଇଁ ୧୦ଦିନ ବ୍ୟାଗମୁକ୍ତ ଶିକ୍ଷାଦାନ

 ଅଢେଇ ଏକର ପରିମିତ ପ୍ରାୟ ୧ ଲକ୍ଷ ବର୍ଗଫୁଟର ଏହି ଜମିର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ଏହାକୁ ମାତ୍ର ୩ କୋଟି ଟଙ୍କାରେ ସଂପୃକ୍ତ ସଂସ୍ଥା ହାତକୁ ଟେକି ଦେବା ଲାଗି ସରକାରୀସ୍ତରରେ ଯୋଜନାବଦ୍ଧ ପ୍ରୟାସ ହୋଇଛି । ଏହି ପ୍ରକ୍ରିୟାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି । କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ୨୦୨୫, ନଭେମ୍ବର ୨୧ରେ ସିଡିଏ ସେକ୍ଟର-୬ ଅଞ୍ଚଳରେ ଥିବା ୨.୫ ଏକର ଜମି ଇ-ନିଲାମରେ ଆବଣ୍ଟନ କରିବାକୁ ଟେଣ୍ଡର ପ୍ରକାଶ ପାଇଥିଲା ।  ଆବେଦନର ଶେଷ ତାରିଖ ଥିଲା ଡିସେମ୍ବର ୧୨ ।  ଏଥିପାଇଁ ବିଭିନ୍ନ ସର୍ତ୍ତ ସହିତ ୨ କୋଟି ଟଙ୍କା ଜମାନତ ରାଶି ଦାଖଲର ନିର୍ଦ୍ଦେଶ ଥିଲା ।  

ଟେଣ୍ଡର ପ୍ରକ୍ରିୟାରେ ମାତ୍ର ଜଣେ ବିଡର୍‌ ଅଂଶଗ୍ରହଣ କରିଥିଲେ ।  ସିଙ୍ଗିଲ୍‌ ଟେଣ୍ଡର ଯୋଗୁଁ ଏହା ବାତିଲ ହୋଇ ସାନି ଟେଣ୍ଡର ଜାରି କରାଯିବା କଥା । ମାତ୍ର ସିଡିଏ କର୍ତ୍ତୃପକ୍ଷ ସବୁ ନିୟମକୁ ଅଣଦେଖା କରି ଏହାକୁ ବାତିଲ କରିବା ପରିବର୍ତ୍ତେ କୌଣସି ଯଥାର୍ଥ କାରଣ ନ ଦର୍ଶାଇ ଏକ ସଂଶୋଧିତ ବିଜ୍ଞପ୍ତି ଜରିଆରେ ଟେଣ୍ଡର ଆବେଦନର ଶେଷ ତାରିଖକୁ ୨୦୨୫, ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଦେଲେ ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରକ୍ରିୟାରେ ଛତିଶଗଡ଼ର ଏକ ସଂସ୍ଥା ଯୋଡ଼ି ହୋଇଗଲା ଏବଂ ଏହି ଦୁଇଟି ସଂସ୍ଥା ମଧ୍ୟରୁ ଗୋଟିଏ ସଂସ୍ଥାକୁ ବାଛିବାର ବାଟ ପ୍ରସ୍ତୁତ କରାଗଲା । ୩ କୋଟି ଟଙ୍କାରେ ଅଢେଇ ଏକର ମୂଲ୍ୟବାନ ଜମିକୁ ସଂପୃକ୍ତ ସଂସ୍ଥା ହାତେଇ ନେବାର କ୍ଷେତ୍ର ପ୍ରସ୍ତୁତ ହେଇଗଲା। ଏଭଳି ପ୍ରକ୍ରିୟା ବିରୋଧରେ ଏକ ପ୍ରତିଷ୍ଠିତ ଡେଭଲପ୍‌ର ସଂଘ ପକ୍ଷରୁ ସିଡିଏ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା ।

 ମାତ୍ର ସିଡିଏ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ନେଇ ବିଲ୍‌ଡର ଆସୋସିଏସନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭିଜିଲାନ୍ସ ଡିଜି, ଜିଲ୍ଲାପାଳ, ସିଡିଏ ଉପାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇଛି। ଏହି ନିଲାମକୁ ବାତିଲ କରିବା ସହ ସଂପୂର୍ଣ୍ଣ ଘଟଣାର ତଦନ୍ତ କରିବାକୁ ଦାବି କରାଯାଇଛି ।  ହେଲେ ସରକାରୀସ୍ତରରେ କେହି ବି ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇନାହାନ୍ତି ।

 ଅନ୍ୟପଟେ ଏ ସଂପର୍କରେ ସିଡିଏ ସଚିବ ଡକ୍ଟର ଶ୍ବେତ କୁମାର ଦାଶ କହିଛନ୍ତି ଯେ ସିଡ଼ିଏ ସେକ୍ଟର-୬ରେ ଥିବା ୨.୫ ଏକର ଜମିର ଇ-ନିଲାମ ପାଇଁ ଗ୍ଲୋବାଲ ଟେଣ୍ଡର କରାଯାଇଥିଲା । ଏଥିରେ କେହି ଅଂଶଗ୍ରହଣ ନ କରିବାରୁ ଏହାର ଅବଧିକୁ ୨ଥର ବୃଦ୍ଧି କରାଯାଇଥଲା । ଶେଷରେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଥିଲେ । ଉକ୍ତ ଜମିର ଅଧା ଅଞ୍ଚଳରେ ଥିବା ପୁରୁଣା କୋଠାକୁ ଭାଙ୍ଗି ଟେଣ୍ଡର ପାଇଥିବା ସଂସ୍ଥା ସିଡିଏ ଅଫିସର ନୂଆ କୋଠା ନିର୍ମାଣ କରିବ। ସେଥିପାଇଁ ସଂପୃକ୍ତ ସଂସ୍ଥା ୬୦ କୋଟି ଟଙ୍କା ବ୍ୟୟ କରିବ। ବଳକା ଅଧା ଜମିରେ ସଂପୃକ୍ତ ସଂସ୍ଥା ବ୍ୟବସାୟ ପ୍ରତିଷ୍ଠାନ କରି ପାରିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।