କନକ ବ୍ୟୁରୋ : ଓଡ଼ିଶାର କଳିଙ୍ଗ ଘାଟିରେ ହୋଇଛି ଭୂସ୍ଖଳନ । କୋରାପୁଟ, ରାୟଗଡ଼ା , ଗଜପତି ପରେ ଏବେ କନ୍ଧମାଳରେ ହୋଇଛି ଭୂସ୍ଖଳନ । କଳିଙ୍ଗାଘାଟି ପାହାଡ଼ରୁ ଖସିଛି ବଡ଼ ବଡ଼ ପଥର । ଭୟାନକ ଦୃଶ୍ୟ ଦେଖିଲେ ଆଖି ସାମ୍ନାକୁ ଚାଲିଆସୁଛି ଉତ୍ତର ଭାରତର ଦୃଶ୍ୟ । ସଜାଗ ନହେଲେ ଅନ୍ୟ ଜିଲ୍ଲାରେ ବି ଭୂସ୍ଖଳନ ହେବାର ପୂର୍ବାନୁମାନ କରିଛନ୍ତି ଭୂତତ୍ତ୍ବବିତ୍ । ଭୂସ୍ଖଳନ କହିଲେ ଆଖି ସାମ୍ନାରେ ଉତ୍ତର ଭାରତର ଚିତ୍ର ସାମ୍ନାକୁ ଆସୁଥିବାବେଳେ ଏବେ ଚିନ୍ତା ବଢ଼ାଇଛି ଓଡ଼ିଶାର ପାହାଡ଼ିଆ ଅଞ୍ଚଳ । କଳିଙ୍ଗ ଘାଟିରେ ହୋଇଥିବା ଭୂସ୍ଖଳନ ଅନେକଙ୍କ ନିଦ ହଜାଇଛି । ପ୍ରକୃତିର ତାଣ୍ଡବଲୀଳା କେତେ ଭୟଙ୍କର ହୋଇପାରେ ତାର ସଂକେତ ଦେଇଛି । ଏହା ବୁଝାଇ ଦେଇଛି ଯେ ପ୍ରକୃତିକୁ ବିଗାଡ଼ିଲେ ପରିସ୍ଥିତି କେମିତି ଅସମ୍ଭାଳ ହୋଇଯାଏ । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସବୁକିଛି ମାତ୍ର କିଛି ସମୟରେ ଛାରଖାର ହୋଇଯାଇଛି । ଗଞ୍ଜାମରୁ କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯାତାୟାତ ସ୍ବାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ମାଟି ପଥରକୁ ହଟାଯାଉଛି ।
ବିକାଶ ବନାମ ବିନାଶ
ପ୍ରକୃତି ହେଉଛି ସର୍ବନାଶ
ପୂର୍ବରୁ କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇଥିଲା । ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ହେଉଛି ଆଉ ଅନ୍ୟ ପଟେ ପ୍ରକୃତିକୁ ନଷ୍ଟ କରିବାରେ ବ୍ୟସ୍ତ ଅଛି ମଣିଷ ସମାଜ । ବିକାଶ ଆଳରେ କେଉଁଠି ପାହାଡ଼ ଉପରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହେଉଛି ତ ଆଉ କେଉଁଠି ଗମନାଗମନକୁ ସହଜ କରିବା ପାଇଁ ରାସ୍ତା ଓସାର ହୋଇଚାଲିଛି । ଦିନରାତି ପାହାଡ଼କୁ କାଟି ନୂଆ ନୂଆ ରାସ୍ତା ତିଆରି ହେଉଛି । ଅନେକ ସ୍ଥାନରେ ପାହାଡ଼ ଭିତରେ ସୁଡ଼ଙ୍ଗ ବି ନିର୍ମାଣ କରାଯାଉଛି । ପାହାଡ଼ର ଉପରଭାଗରୁ ଗଛ କଟାଯାଉଛି ଓ ତଳ ଭାଗରୁ ମାଟି ଖନନ ହେଉଛି । ଏସବୁ କାରଣରୁ ଭୂସ୍ଖଳନ ହେଉଥିବା କହିଛନ୍ତି ଭୂତତ୍ତ୍ବବିତ୍ । ବେଳ ଥାଉ ଥାଉ ସଜାଗ ନହେଲେ ଓଡ଼ିଶାରେ ବି ସ୍ଥିତି ଉଦବେଗଜନକ ହୋଇପାରେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି ।