କନକ ବ୍ୟୁରୋ : ହିମାଚଳପ୍ରଦେଶରେ ପୁଣି ଭୂସ୍ଖଳନ ଆତଙ୍କ ଖେଳାଇ ଦେଇଛି  ।   ସିରମୌର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି  ବଡ଼ ଧରଣର ଭୂସ୍ଖଳନ ହୋଇ ଏକ ପର୍ବତର ବିଶାଳ ଅଂଶ ଭୁଶୁଡ଼ି ଯାଇଛି  ।  ଏହି ଭୂସ୍ଖଳନ ଏବଂ ପାହାଡ଼ ଧସିବା ଯୋଗୁଁ ନିକଟରେ ଅନେକ ଘର ଏବଂ ଲୋକମାନେ ବିପଦରେ ଅଛନ୍ତି ।   କର୍ତ୍ତୃପକ୍ଷ  ସ୍ପଷ୍ଟ କରିଛନ୍ତି ଯେ ଦୁର୍ଘଟଣା ସମୟରେ ସେଠାରେ ୫ ଜଣ ଉପସ୍ଥିତ ଥିଲେ  ।  

Advertisment

ସୌଭାଗ୍ୟବଶତଃ ସମସ୍ତେ ସୁରକ୍ଷିତ ଅଛନ୍ତି ।   ଭୂସ୍ଖଳନର ଭିଡିଓ ଏବେ ଭାଇରାଲ୍‌ ହେଉଛି । ଏଥିରେ ଦେଖିବାକୁ ମିଳିଛି ଯେ ହଠାତ୍‌ ଭୂମିତଳୁ ପାଣିର ପ୍ରଖର ସ୍ରୋତରେ ଭୂମି ଫାଟିଯିବା ସହ  କିଛି ସେକେଣ୍ଡ ମଧ୍ୟରେ ଗଛ ଏବଂ ସବୁକିଛି ଭାସି ଯାଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ହିମାଚଳରେ  ୩୫୫ ଲୋକଙ୍କ ମୃତ୍ୟୁ ହୋଇଛି ।  ଏଥି ମଧ୍ୟରୁ ୧୯୪ ଜଣଙ୍କର ଭୂସ୍ଖଳନ, ଅଚାନକ ବନ୍ୟା, ପାଣିରେ ବୁଡ଼ିଯାଇ ଏବଂ ବଜ୍ରାଘାତରେ ମୃତ୍ୟୁ ହୋଇଛି।  ହିମାଚଳରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୩୭୯ ଜଣ ଆହତ ହୋଇଥିବା ବେଳେ ୪୯ ଜଣ ନିଖୋଜ ଅଛନ୍ତି ।   ୧୨୮୦ରୁ ଅଧିକ ଘର ଧ୍ବଂସ ହୋଇଯାଇଛି ।  ରାଜ୍ୟରେ ବର୍ଷା ବିପର୍ଯ୍ୟୟ ପାଇଁ  ପ୍ରାୟ ୩୮୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି।