କନକ ବ୍ୟୁରୋ: ଗଜପତି ଜିଲ୍ଲାର ବିପଦସଙ୍କୁଳ ଅବସ୍ଥାରେ ରହିଛି ଅନେକ ଆଦିବାସୀ ଗାଁ । ପାହାଡ଼ି ଗାଁ ପାଇଁ ବିପଦ ବଢ଼ୁଛି । ସେଥିମଧ୍ୟରୁ ମୋହନାରେ ୪୧, ନୂଆଗଡ଼ରେ ୧୩, ରାୟଗଡ଼ରେ ୨୭, ଗୁମ୍ମାରେ ୨୯ ଓ ରା.ଉଦୟଗିରି ବ୍ଲକରେ ୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ଯେଉଁଠାରେ ଲଗାଣ ବର୍ଷା ହେଲେ ଛାତିରେ ଛନକା ପଶେ । ଲୋକଙ୍କୁ ଭୂସ୍ଖଳନ ଭୟ ଘାରେ । ତଥ୍ୟ ଅନୁସାରେ,
୨୦୧୮ ରୁ ୨୦୨୨ ମଧ୍ୟରେ ଭୂସ୍ଖଳନ ନେଇଛି ୪୮ ଜୀବନ
୭୧, ୮୩୪ରୁ ଅଧିକ ବାସଗୃହ କ୍ଷତିଗ୍ରସ୍ତ
୧୦୩୦ ଗୃହପାଳିତ ପଶୁଙ୍କ ମୃତ୍ୟୁ
ତିତିଲି ମହାବାତ୍ୟାରେ ରାୟଗଡ଼ ବ୍ଲକରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା
ଗୁମ୍ମା ବ୍ଲକ କୁଲାଙ୍ଗ ଗାଁ ଓ ରା.ଉଦୟଗିରି ବ୍ଲକର ଅନଘାରେ ୨ ଜଣ
ଗୋଷାଣିରେ ୨ ଓ କାଶୀନଗର ବ୍ଲକର ଜଣଙ୍କର ମୃତ୍ୟୁ ହୋଇଥିଲା
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ରଖି କାମ କରୁଥିବା ସରକାର ଏନେଇ କୌଣସି ସତର୍କତାମୂଳକ ପଦକ୍ଷେପ ନେଉନଥିବା ଅଭିଯୋଗ ଆସିଛି । କୌଣସି ବିପଦ ସଙ୍କେତ ମିଳିଲେ ଲୋକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଯାଉଛନ୍ତି । ପରେ ପୁଣି ସେହି ଘରକୁ ଫେରି ଆସନ୍ତି । କାରଣ ଏଯାଏଁ ସ୍ଥାୟୀ ଆଶ୍ରୟସ୍ଥଳୀ ବି ତିଆରି ହୋଇପାରିନାହିଁ। କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ଆଉ କିଛି ପରିବାରକୁ ଥଇଥାନ ପାଇଁ ଜମି ଚିହ୍ନଟ କରି ଚୁପ ବସିଛି ପ୍ରଶାସନ । ଅନ୍ୟପଟେ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନ୍ମନ୍ତ୍ରୀ । ସରକାର ଆଦିବାସୀଙ୍କ ପ୍ରତି କେବେ ଆନ୍ତରିକତା ଦେଖାଉଛନ୍ତି ? ଆଉ କେବେ ଏମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ତାକୁ ଅପେକ୍ଷା ।