କନକ ବ୍ୟୁରୋ: କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପୁଣି ଅଘଟଣ । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର । ପ୍ରବଳ ବର୍ଷା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି । ଗତ ସପ୍ତାହରେ ଭୂସ୍ଖଳନ ପରେ ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଘାଟିରେ ଭୂସ୍ଖଳନ ପରେ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ପୁଣିଥରେ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସିବାରୁ ମରାମତି କାମ ଧୋଇଯାଇଛି । ନିର୍ମାଣ ପାଇଁ ବ୍ୟବହାର ହେଉଥିବା ପଥର, ବାଲି ଓ ଗୋଡ଼ି ଭାସି ଯାଇଛି ।  

Advertisment

ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭ ତାରିଖରେ କଳିଙ୍ଗା ଘାଟି  ପୁଣି ଧସି ଯାଇଥିଲା । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇଯାଇଥିଲା । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା । ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ଆଜି ପ୍ରବଳ ବର୍ଷା ଯୋଗୁଁ ପୁଣି ଘାଟି ଉପରେ ମାଟି ଅତଡ଼ା ଖସିଛି । 

ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଓଡ଼ିଶାର ଏହି ବଡ଼ ଘାଟିର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ କାମ କରିବା ଦାୟିତ୍ଵ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା । କିନ୍ତୁ ଅତ୍ୟନ୍ତ ତରବରିଆ ଭାବେ କାମ କରୁଥିବା ବେଳେ ଦୁଇ ମାସ ତଳେ ବି ଏଠାରେ ପଥର ଧସିଥିଲା । ଏପରିକି ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ବି ଘଟଣା ସ୍ଥଳକୁ ଯାଇ ସେମାନଙ୍କୁ ଭଲ କାମ କରିବା ପାଇଁ ତାଗିଦ କରିଥିଲେ । କିନ୍ତୁ ସ୍ଥିତିରେ କିଛି ପରିବର୍ତ୍ତନ ହୋଇନି । ଏବେ ଠିକ୍ ଦୁଇ ମାସ ପରେ ପୁଣି ବଡ଼ ଧରଣର ଭୂସ୍ଖଳନ ଘଟି ପୂରା ଘାଟି ରାସ୍ତାକୁ ଠପ୍ କରି ଦେଇଛି ।