କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏକ ଭୟଙ୍କର ବିସ୍ଫୋରଣରେ ସିଆରପିଏଫ୍‌ର ଜଣେ ଇନ୍ସପେକ୍ଟର ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟ ଏକ ସ୍ଥାନରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଏକ କଲଭର୍ଟ ମଧ୍ୟ ଉଡ଼ାଇ ଦେଇଛନ୍ତି । ଉଭୟ ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଜଣାପଡ଼ିଛି । ଜିଲ୍ଲା ପୁଲିସ, ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ଯବାନମାନେ ସରଣ୍ଡାର ଜରାଇକେଲା ଥାନା ଅଧୀନରେ ଥିବା ସମଠା ଅଞ୍ଚଳର ବାବୁଡ଼େରା ଗାଁରେ ମାଓ ବିରୋଧୀ ଅଭିଯାନ ଚଳାଇଥିଲେ । ଏହି ସମୟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆରପିଏଫ୍ ୬୦ ବାଟାଲିୟନର ଇନ୍ସପେକ୍ଟର କେକେ ମିଶ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଉରକେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଏକ ସ୍ଥାନରେ ମଧ୍ୟ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରାଯାଇଛି, ଯେଉଁଥିରେ ନକ୍ସଲମାନେ ଏକ କଲଭର୍ଟକୁ ମଧ୍ୟ ଉଡ଼ାଇ ଦେଇଛନ୍ତି । ଏହି ଘଟଣାକୁ ସରକାରୀ ଭାବରେ ନିଶ୍ଚିତ କରାଯାଇନାହିଁ । ଗତ କିଛି ଦିନ ଧରି ସରଣ୍ଡା ଶାନ୍ତିପୂର୍ଣ୍ଣ ଥିବା ବେଳେ ହଠାତ୍ ଏଭଳି ମାଓ କାର୍ଯ୍ୟକଳାପ ଅଞ୍ଚଳରେ ପୁଣି ଥରେ ଭୟର ବାତାବରଣ ସୃଷ୍ଟି କରିଛି । 
 

Advertisment