କନକ ବ୍ୟୁରୋ: ଭାଗ ଚାଷୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ। ଅଦିନିଆ ବର୍ଷାରେ ଚାଷ ନଷ୍ଟ ପାଇଁ ଭାଗ ଚାଷୀଙ୍କୁ ମିଳିବନି କ୍ଷତିପୂରଣ। କେବଳ ମୂଳ ଚାଷୀ ହିଁ ପାଇବେ। ମୂଳ ଚାଷୀ, ଭାଗ ଚାଷୀଙ୍କ ସହ କଥା ହୋଇ କ୍ଷତିପୂରଣ ରାଶି ଆବଣ୍ଟନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment
  • ଭାଗଚାଷୀଙ୍କ ଭେଳା ବୁଡ଼ିଲା
  • କ୍ଷତିପୂରଣ ପାଇବେନି ଭୂମିହୀନ ଚାଷୀ

ଅଦିନିଆ ବର୍ଷା, ବର୍ଷଯାକର ଫସଲ ଉଜାଡ଼ି ଦେବା ପରେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଲକ୍ଷଲକ୍ଷ ଚାଷୀ। ହେଲେ କ୍ଷତିପୂରଣ ପାଇବାକୁ ଥିବା ୬ ଲକ୍ଷ ୬୬ ହଜାର ୭୨୦ ଚାଷୀଙ୍କ ଭିତରେ ନାହାନ୍ତି ଭୂମିହୀନ। କାରଣ ସରକାରୀ ସହୟତା ଭାଗଚାଷୀଙ୍କ ପାଇଁ ନଥିବା ଏକପ୍ରକାର ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ। ସୁରେଶ ପୂଜାରୀ କହିଛନ୍ତି, ଭାଗଚାଷୀଙ୍କୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିୟମ ନାହିଁ। ତେଣୁ ମୂଳ ଜମି ମାଲିକ ଓ ଭାଗଚାଷୀ ନିଜ ଭିତରେ ଆଲୋଚନା କରି କ୍ଷତିପୂରଣ ରାଶି ବାଣ୍ଟିନେବେ। 

ସବୁଠାରୁ ବଡ଼କଥା ହେଉଛି, ଭାଗଚାଷୀ ଚିହ୍ନଟ ହୋଇନପାରିବା ପଛରେ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ରାଜସ୍ୱ ମନ୍ତ୍ରୀ। କିନ୍ତୁ ଏକଥା ସତ ଯେ, ପ୍ରାୟ ୧୫ ଲକ୍ଷରୁ ଅଧିକ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ବାର୍ଷିକ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଥିଲେ ପୂର୍ବ ସରକାର। ନୂଆ ସରକାର କିନ୍ତୁ ଭାଗଚାଷୀଙ୍କ ପାଇଁ ବିକଳ୍ପ ବନ୍ଦୋବସ୍ତ ନକରି, ହାତ ଛାଡ଼ିଦେଇଛନ୍ତି। ଯାହାକୁ ନେଇ ଘେରିଛି ବିରୋଧୀ ବିଜେଡି। 

ବିଧାୟକ ସାରଦା ଜେନା କହିଛନ୍ତି, ବିରୋଧୀ ଆସନରେ ଥିଲାବେଳେ ବିଜେପିର ସ୍ୱର ଗୋଟିଏ ଆଉ ସରକାରକୁ ଆସିଲେ ସ୍ୱର ଆଉଗୋଟିଏ। ପୂର୍ବରୁ ଭାଗଚାଷୀଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଥିଲା। ଅଧିକାରୀଙ୍କୁ ଲଗାଇ ଫିଜିକାଲ ଭେରିଫିକସନ୍‌ ପରେ ଭାଗଚାଷୀଙ୍କୁ ସହାୟତା ପ୍ରଦାନ କରିବାର ଥିଲା। ହେଲେ ଭାଗଚାଷୀଙ୍କ ହାତ ଛାଡ଼ିଦେଇ ସରକାର ନିଜର ଅସଲ ଚରିତ୍ର ଦେଖାଇଲେ।

ସୂଚନାଯୋଗ୍ୟ ଯେ, ଅଦିନିଆ ବର୍ଷା, ବର୍ଷକର ଭାତହାଣ୍ଡିକୁ ମାଡ଼ କରିଥିବାବେଳେ ସରକାରୀ ଉଦାସୀନତା ଭାଗଚାଷୀଙ୍କ ଭବିଷ୍ୟତକୁ ଆନ୍ଧାର ଭିତରକୁ ଠେଲି ଦେଇଛି। କାରଣ ଜମି ମାଲିକ କ୍ଷତିପୂରଣ ଟଙ୍କା ପାଇବେ ଆଉ ଭାଗଚାଷୀ ମାଲିକଙ୍କ ହାତଟେକାକୁ ଅନାଇ ରହିବେ।