କନକ ବ୍ୟୁରୋ: ଜମି ମାଲିକଙ୍କ ଅଜାଣତରେ ଦୁଇ ଦୁଇ ଥର କିଣା ବିକା ହୋଇଗଲା ଜମି । ଜମି କିଣିଥିବା ବ୍ୟକ୍ତି ୨ ଜଣଙ୍କୁ ପଟ୍ଟା ମଧ୍ୟ ମିଳିଗଲା । ଏପରି ଏକ ଗୁରୁତର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ଗାଁରୁ । ଗାଁର ଅଭିରାମ ମଜୁମଦାର ୧୯୯୫ ମସିହାରେ ଫେରିଘାଟ ନିକଟରେ ୧ ଏକର ଜମି କିଣିଥିଲେ । ପ୍ରତିବର୍ଷ ପାଉତି କାଟୁଥିଲେ । ତେବେ ୨୦୨୨ରେ ପାଉତି କାଟିବାକୁ ଯାଇ ଆର୍ଆଇଙ୍କ ଠାରୁ ଜାଣିବାକୁ ପାଇଲେ ତାଙ୍କ ଜମି ବିକ୍ରି ହୋଇଯାଇଛି । ଆଉ ଯିଏ କିଣିଛନ୍ତି ତାଙ୍କ ନାମରେ ପଟ୍ଟା ହୋଇସାରିଛି । ଏକଥା ଜାଣିବା ପରେ ଆରମ୍ଭ ହୋଇଥିଲା ଅଭିରାମଙ୍କ ଆଇନଗତ ଲଢ଼େଇ ।
- ଦୀର୍ଘଦିନର ଲଢ଼େଇ ପରେ ମିଳିଲା ନ୍ୟାୟ
- ପ୍ରକୃତ ମାଲିକ ଫେରିପାଇଲେ ଜମି
ଏନେଇ ତତ୍କାଳୀନ ମହାକାଳପଡ଼ା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ଅଭିରାମ । ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଜମିଟି ପ୍ରକୃତ ମାଲିକଙ୍କ ଖାତାକୁ ଫେରିଛି । ତାଙ୍କୁ ଜମିର ପଟ୍ଟା ମଧ୍ୟ ମିଳିଛି । ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଜମି ମାଲିକ । ସହରାଞ୍ଚଳରେ ଏମିତି ଜମି ଜାଲିଆତି ନୂଆ ଘଟଣା ନୁହେଁ । ହେଲେ ଗ୍ରାମାଞ୍ଚଳରେ ବି ଏଭଳି କେଳେଙ୍କାରୀ, ସମସ୍ତଙ୍କୁ ଚକିତ କରିଛି ।