କନକ ବ୍ୟୁରୋ: ହିମାଚଳ ପ୍ରଦେଶର ମଣ୍ଡିରେ ଭୀଷଣ ଭୂସ୍ଖଳନ ଘଟିଛି । ହଠାତ ଭୂସ୍ଖଳନ ଘଟି ଦୁଇଟି ଘର ଭାଙ୍ଗିଯିବା ହେବା ସହ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନ୍ଡିଆର୍ଏଫ୍ ଯବାନଙ୍କ ସମେତ ୨ ଜଣ ନିଖୋଜ ମଧ୍ୟ ହୋଇଥିବା ସୂଚନା ମିଳିଛି । ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାମରେ ଲାଗିଛନ୍ତି ।
ଏପଟେ ଲଗାଣ ବର୍ଷା ସହ ବନ୍ୟାରେ ବେହାଲ ହୋଇପଡ଼ିଛି ପଞ୍ଜାବ, ଦିଲ୍ଲୀ ଓ ଜାମ୍ମୁ କାଶ୍ମୀର । ଜମ୍ମୁର ବାରମୀନି ଗାଁରେ ପ୍ରବଳ ବର୍ଷା ଯୋଗୁଁ ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଗ୍ରାମବାସୀ ତୁରନ୍ତ କ୍ଷତିପୂରଣ ଦାବି କରିଛନ୍ତି । ବର୍ଷା ଯୋଗୁଁ ଘରଗୁଡ଼ିକରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଶାସନ ଦ୍ବାରା ଉଦ୍ଧାର ଓ ସହାୟତା କାମ ଆରମ୍ଭ କରିଛି । ସେହିପରି ଡୋଡା ନିକଟରେ ଭୂସ୍ଖଳନ ଯୋଗୁଁ ବାଟୋଟେ-କିସ୍ତୱାର ରାସ୍ତା ବନ୍ଦ ହୋଇଯାଇଛି । ଡୋଡା ଓ କିସ୍ତୱାଡ ଜିଲ୍ଲାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଯାତ୍ରୀ ଫସି ରହିଛନ୍ତି । ପ୍ରଶାସନ ରାସ୍ତା ସଫା କରିବା କାମ ଆରମ୍ଭ କରିଛି । ଶ୍ରୀନଗରରେ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ପାଣି ପଶି ରାସ୍ତା ବନ୍ଦ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଛି । ରେସିଡେନ୍ସି ରୋଡ, ଟିଆରସି ଚୌକ, ଡାଲ ଗେଟ ପ୍ରଭୃତି କ୍ଷେତ୍ର ପ୍ରଭାବିତ ହୋଇଛି ।
ଉତ୍ତରରେ ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀ ନେଉଛି ଭୟଙ୍କର ରୂପ । ବିପଦ ସଙ୍କେତ ଅତିକ୍ରମ କରିଛି ଯମୁନା ନଦୀର ଜଳସ୍ତର । ଯମୁନା ନଦୀର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର୍ରୁ ଉପରେ ରହିଛି । ଦିଲ୍ଲୀରେ ଗତକାଲିଠୁ ପ୍ରବଳ ବର୍ଷା ଲାଗିରହିଛି, ଯାହା ଜଳମଗ୍ନ ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରିଛି । ଆଇଏମ୍ଡି ଆଗାମୀ ଦିନମାନଙ୍କରେ ମଧ୍ୟମରୁ ଭାରୀ ବର୍ଷାର ଆଲର୍ଟ ଜାରି କରିଛି । ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି । ଏଥିପାଇଁ ଲୋହା ବ୍ରିଜରେ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି । ସେପଟେ ହରିଆଣାରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି । ୧୮ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍ ଓ ପ୍ରାଶାସନିକ ଅଧିକାରୀମାନଙ୍କର ଛୁଟି ବାତିଲ କରିଦିଆଯାଇଛି ।