କନକ ବ୍ୟୁରୋ : ଜହ୍ନରାଇଜରେ ଜାଗା ମିଳୁଛି । ହେଲେ ଭୁବନେଶ୍ବରରେ କିଣିହେଉନି । ରାଜଧାନୀରେ ସ୍ବପ୍ନର ଘର ତୋଳିବାକୁ ଦରକାର ୫୩ ବର୍ଷର ସଞ୍ଚୟ । ତାହା ବି ସମ୍ଭବ କେବଳ ସହରର ବଡ ବଡ ପୁଞ୍ଜିପତି ଓ ଧନୀ ଶ୍ରେଣୀଙ୍କ କ୍ଷେତ୍ରରେ । ନ୍ୟାସନାଲ୍ ହାଉସିଂ ବୋର୍ଡ (ଏନଏଚବି), ଜାତୀୟ ନମୁନା ସର୍ବେକ୍ଷଣ କାର୍ୟ୍ୟାଳୟ (ଏନଏସଏସଓ), ରିଜର୍ଭ ବ୍ୟାଙ୍କ ଭଳି ବଡ ବଡ ସଂସ୍ଥାର ତଥ୍ୟ କିଛି ଏଭଳି ସଙ୍କେତ ଦେଉଛି । ଏହା ସୂଚାଇ ଦେଉଛି ବର୍ଷ କେଇଟାରେ କେତେ ଦାମିକିଆ ହୋଇଗଲାଣି ଓଡ଼ିଶାର ରାଜଧାନୀ। ଭୁବନେଶ୍ବରରେ ୧୧୮୪ ବର୍ଗଫୁଟର ଘରକୁ ମଧ୍ୟମ ଧରଣର ଘର ଭାବେ ବିଚାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଅଥାର୍ତ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଭୁବନେଶ୍ବରରେ ଘର ମରିଚିକା ସଦୃଶ ।
ଭୁବନେଶ୍ବରରେ ଜମିର ଚାହିଦା ଯେତିକି, ଦାମ୍ ମଧ୍ୟ ତାହା ଠାରୁ ଢେର ଅଧିକ । ରିପୋର୍ଟ ଅନୁଯାୟୀ ଭୁବନେଶ୍ବରରେ ବାସ କରୁଥିବା ଶୀର୍ଷ ୫% ଧନୀଙ୍କ ଆୟ ବାର୍ଷିକ ୭.୫ ଲକ୍ଷ ଥିବା ବେଳେ ସଞ୍ଚୟ ୨.୩ ଲକ୍ଷ ଭିତରେ ସୀମିତ। ତେଣୁ ରାଜଧାନୀରେ ୧୧୮୪ ବର୍ଗଫୁଟର ଘର କିଣିବାକୁ ଆବଶ୍ୟକ ୧ କୋଟି ୨୦ ଲକ୍ଷ ଟଙ୍କା । ୫୩ ବର୍ଷର ସଞ୍ଚୟ ଥିଲେ ଏହି ଘର କିଣିବା ସ୍ବପ୍ନ ସତ ହେବ । ଦେଶର ଅନ୍ୟ ହାଇଟେକ ରାଜଧାନୀରେ ମଧ୍ୟ ଅନୁରୂପ ଅବସ୍ଥା।
ଏହି ରିପୋର୍ଟ ଭୁବନେଶ୍ବରକୁ ଦାମିକିଆ ରାଜଧାନୀର ପରିଚୟ ଦେଇଛି ସତ। କିନ୍ତୁ ମଧ୍ୟବିତ୍ତ ଓ ଗରିବ ଲୋକଙ୍କୁ ଆପଣାର କରିବାର ସୁଯୋଗ ଛଡାଇ ନେଇଛି । କାରଣ ଦାମୀ ଭୁବନେଶ୍ବରରେ ଆୟ କମ, ଜମି ମହଙ୍ଗା ।