କନକ ବ୍ୟୁରୋ: ଆପଣଙ୍କ ପିଲାମାନେ ମୋବାଇଲ ଦେଖୁଛନ୍ତି କି । ଘଣ୍ଟା ଘଣ୍ଟା ଧରି ଇଣ୍ଟରନେଟର ବ୍ୟବହାର କରୁଛନ୍ତି କି । ଯଦି ହଁ ତେବେ ସାବଧାନ ହୋଇଯାନ୍ତୁ । କାରଣ ଲାନସେଟର ରିପୋର୍ଟ କହୁଛି ପ୍ରତି ୧୨ ଶିଶୁରେ ଜଣେ ଅନଲାଇନ ଯୌନ ନିର୍ୟାତନାର ଶିକାର ହେଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ ।
ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଜୀବନ ଶୈଳୀ। ଏବେ ସଭିଙ୍କ ହାତରେ ମୋବାଇଲ ଫୋନ୍ । ଆଉ ମୋବାଇଲରେ ଶସ୍ତା ଇଣ୍ଟରନେଟ୍ । ଯାହା ଜାଣିବାକୁ ଚାହିଁଲେ , କେବଳ ଗୋଟିଏ କ୍ଲିକରେ ମିଳିଯାଉଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଇଣ୍ଟରନେଟ୍ ଆପଣଙ୍କ ପିଲାଙ୍କର ଜୀବନ ନଷ୍ଟ କରିପାରେ । ଲାନସେଟ୍ ରିପୋର୍ଟରେ ପ୍ରକାଶିତ ନୂତନ ଅଧ୍ୟୟନର ତଥ୍ୟ ଆପଣଙ୍କ ହୋସ ଉଡାଇଦେବ ।
ତଥ୍ୟ କହୁଛି : ବିଶ୍ୱରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରେ ଜଣେ ଅନଲାଇନ୍ ଯୌନ ଶୋଷଣ କିମ୍ୱା ନିର୍ୟାତନାର ଶିକାର
ଏଥିରେ ଅନଲାଇନ ଗ୍ରୁମିଂ, ପର୍ଣ୍ଣୋଗ୍ରାଫି ସଂସ୍ପର୍ଷରେ ଆସିବା, ଫଟୋ ଆଧାରିତ ଯୌନ ଶୋଷଣ ଆଦି ସାମିଲ। ପ୍ରତି ୮ ଜଣ ଶିଶୁଙ୍କ ମଧ୍ୟରେ ଜଣେ ଫଟୋ ଆଧାରିତ ନିର୍ୟାତନା ବା ଯୌନ ଶୋଶଣର ଶିକାର ହେଉଛନ୍ତି
ତେବେ ଏହା ଧିରେ ଧିରେ ଅନେକ ସମସ୍ୟା ସୃଷ୍ଟି କରେ ବୋଲି କହିଛନ୍ତି ମନସ୍ତତ୍ତ୍ବବିତ୍।
୨୦୧୦ରୁ ୨୦୨୩ ମଧ୍ୟରେ କରାଯାଥିବା ୧୨୩ଟି ଅଧ୍ୟୟନର ଫଳାପଳକୁ ତର୍ଜମା କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଜଣାପଡିଛି ଯେ ;
୧୨.୬ ପ୍ରତିଶତ ଫଟୋ ଆଧାରିତ ନିର୍ୟାତନା
୧୨.୫ ଅନଲାଇନ ଅନୁରୋଧ
୪.୭ ପ୍ରତିଶତ ଅନଲାଇନ ଯୌନ ଶୋଷଣ ଦ୍ୱାରା ପ୍ରଭାବିତ
ଓଡ଼ିଶାରେ ବି ଅନଲାଇନ ଯୌନ ନିର୍ୟାତନାର ଅନେକ ରିପୋର୍ଟ ହୋଇଛି । ଶିଶୁ ଅଶ୍ଳୀଳତା ଓ ଯୌନ ସମ୍ଭନ୍ଧୀୟ ଫଟୋ କିମ୍ବା ଭିଡିଓ ଅପଲୋଡ ନେଇ ଶିଶୁ ଏବଂ ମହିଳା ଅନଲାଇନ୍ ଅପବ୍ୟବହାର ମନିଟରିଂ ଯୁନିଟରେ ଅଭିଯୋଗ ହୋଇଛି । ୨୦୨୩ରେ ୫୭୧ ଅଭିଯୋଗ ଆସିଥିଲା। ତେବେ ଏସବୁକୁ ରୋକିବାକୁ ହେଲେ ସଚେତନତାର ଆବଶ୍ୟକତା ରହିଥିବା କହିଛନ୍ତି ବିଶେଷଜ୍ଞ।
ଘଉଜଈର ତଥ୍ୟ ଅନୁଯାୟୀ, ୨୦୨୩ରେ ଓଡ଼ିଶାରେ ଏସଂପର୍କିତ ୮୨ ହଜାର ୧୩୨ଟି ଅଭିଯୋଗ ହୋଇଛି । ଶିଶୁ ଯୌନ ଶୋଷଣ ସଂପର୍କିତ ଫଟୋ ଓ ଭିଡିଓ ବିଭିନ୍ନ ଓ୍ୱେବସାଇଟରେ ଅପଲୋଡ ହୋଇଛି । ଯେଉଁ ଆଇପିରୁ ଅପଲୋଡ ହୋଇଛି ସେସବୁ ଓଡିଶାର ବୋଲି ଜଣାପଡିଛି । ତେବେ ଏସବୁ ଅତି ସହଜରେ ଉପଲବ୍ଧ ହେଉଥିବାରୁ ମୋବାଇଲ ବ୍ୟବହାର କରୁଥିବା ପିଲାମାନେ ଏହାକୁ ଦେଖିବାର ସୁଯୋଗ ପାଉଛନ୍ତି। ଆଉ ଅନଲାଇନ ଯୌନ ନିର୍ୟାତନାର ଶିକାର ହେଉଛନ୍ତି ବୋଲି କୁହାଯାଇଛି।