କନକ ବ୍ୟୁରୋ: ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳରେ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଲାଲୁ ପ୍ରସାଦ ଯାଦବ । ୧୩ ଥର ପାଇଁ ଅଧ୍ୟକ୍ଷ ଆସନ ଲାଲୁ ଅଳଙ୍କୃତ କରିବାକୁ ଏବେ କେବଳ ଔପଚାରିକତା ପୂରଣ କରାଯାଉଛି । ଗତ ସୋମବାର ଆର୍‌ଜେଡିର ପ୍ରଦେଶ କାର୍ଯ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଲାଲୁ ପ୍ରସାଦ ଯାଦବ । ଏକ ପ୍ରକାର ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ଲାଲୁ ଆର୍‌ଜେଡି ଅଧ୍ୟକ୍ଷ ନିର୍ବାଚିତ ହେବେ । ଏହାପରେ ଜୁଲାଇ ୫ ତାରିଖରେ ସେ ଆର୍‌ଜେଡି ସଭାପତି ଭାବରେ ଦାୟିତ୍ୱ ନେବେ ବୋଲି କୁହାଯାଉଛି । 

Advertisment

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ ଲାଲୁ ଆର୍‌ଜେଡି ଅଧ୍ୟକ୍ଷ ଦାୟିତ୍ୱ ନେବା ଅତ୍ୟନ୍ତ ଖାସ୍‌ । ଲାଲୁଙ୍କ ପରିବାରରେ ଏବେ ଜାରି ରହିଥିବା ରାଜନୀତି ଓ ମହାମେଣ୍ଟ ସାମ୍ନାରେ ଥିବା ଚ୍ୟାଲେଞ୍ଜକୁ ଦେଖିଲେ ଲାଲୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିପାରନ୍ତି । ୨୦୨୦ରେ ଆର୍‌ଜେଡି ତେଜସ୍ୱୀଙ୍କ ଚେହେରା ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ସେତେବେଳେ ଲାଲୁଙ୍କ ଏତେଟା ସକ୍ରିୟ ଭୂମିକା ଦେଖିବାକୁ ମିଳିନଥିଲା । 

୨୦୨୦ରେ ଆର୍‌ଜେଡିର ନିର୍ବାଚନ ଅଭିଯାନର ନେତୃତ୍ୱ ନେଇଥିଲେ ତେଜସ୍ୱୀ ଯାଦବ । ଏହାସତ୍ତ୍ୱେ ମହାମେଣ୍ଟ ବହୁମତ ହାସଲ କରିବାରେ ଫେଲ୍‌ ମାରିଥିଲା । ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଭାଙ୍ଗି ଯାଇଥିଲା । ଏଣୁ ଏବେ ଲାଲୁ ବିହାରରେ ଆର୍‌ଜେଡି ପକ୍ଷରୁ ନିର୍ବାଚନ ନେତୃତ୍ୱ ନିଅନ୍ତୁ ଚାହୁଛି ମହାମେଣ୍ଟ । କିନ୍ତୁ ଲାଲୁଙ୍କୁ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।  

ନିକଟରେ ଲାଲୁ ନିଜର ୭୮ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବି ସେତେଟା ଭଲ ନାହିଁ । ଏଣୁ ଲାଲୁ ନିର୍ବାଚନରେ କେତେ ଦୂର ସକ୍ରିୟ ରହିବେ  ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସତ୍ତ୍ୱେ ଲାଲୁ ହିଁ ଆର୍‌ଜେଡିର ଅଧ୍ୟକ୍ଷ ଦାୟିତ୍ୱ ନେବେ । ଆର୍‌ଜେଡିର କ୍ୟାଡର ନେତା ଓ ସମର୍ଥକ ଲାଲୁ ହିଁ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାହୁଛନ୍ତି । ଏଣୁ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଥିବା ସତ୍ତ୍ୱେ ଲାଲୁଙ୍କ ନାଁରେ ହିଁ ନିର୍ବାଚନ ଲଢ଼ିବାକୁ ଚାହୁଛି ଆର୍‌ଜେଡି । ଆଉ କାହା ହାତରେ ଦଳର କମାଣ ଦେବାକୁ ଚାହୁନାହାନ୍ତି ଆର୍‌ଜେଡି ।