କନକ ବ୍ୟୁରୋ: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢ଼ିଲା । ଲାଲୁଙ୍କ ସହିତ ତାଙ୍କ ସ୍ତ୍ରୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀ ଯାଦବଙ୍କ ଅଡୁଆ ବଢ଼ିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିବା ନେଇ ରାୟ ପ୍ରକାଶ କରିଛନ୍ତି ।
ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ଦେଇଛନ୍ତି ଯେ, ଲାଲୁ ଯାଦବ ଟେଣ୍ଡର ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ତେଣୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁ ଯାଦବଙ୍କ ସମେତ ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ଠକେଇ ଏବଂ ଦୁର୍ନୀତି ସମେତ ବିଭିନ୍ନ ଧାରା ଅନୁଯାୟୀ ଚାର୍ଜଫ୍ରେମ୍ କରିଛନ୍ତି । କୋର୍ଟ ଷଡ଼ଯନ୍ତ୍ର, କ୍ଷମତାର ଅପବ୍ୟବହାର ଏବଂ ଟେଣ୍ଡର ପ୍ରକ୍ରିୟାରେ ହେରଫେରକୁ ଉଲ୍ଲେଖ କରି କହିଛନ୍ତି ଯେ ସବୁକିଛି ଲାଲୁ ଯାଦବଙ୍କ ଜ୍ଞାତସାରରେ ଘଟିଥିଲା ।
#UPDATE | IRCTC hotels corruption case | The Rouse Avenue court frames charges against former Railway Minister Lalu Prasad Yadav, former Bihar CM Rabri Devi, RJD leader Tejashwi Yadav and others.
— ANI (@ANI) October 13, 2025
This case pertains to alleged corruption in the tender of two IRCTC hotels in… https://t.co/VTz3gzjDRZ
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜମି ଅଧିକାର ଦେବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା । ଲାଲୁ ଯାଦବ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ । ତେବେ କୋର୍ଟଙ୍କୁ ଲାଲୁ ଯାଦବ କହିଥିଲେ, ମୁଁ ଦୋଷୀ ନୁହେଁ । ଏହାସହିତ ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କର ଉତ୍ତର ସମାନ ଥିଲା, ଆମେ ଦୋଷୀ ନୁହେଁ ।
ଏହା ପୂର୍ବରୁ ଲାଲୁ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବ କୋର୍ଟରେ ହାଜର ହେବା ପାଇଁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ । ଲାଲୁ ଯାଦବ ହ୍ୱିଲଚେୟାରରେ କୋର୍ଟରେ ପହଞ୍ଚିଥିଲେ । ତେବେ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଆଜି ବିହାରରେ ବିରୋଧୀ ମହାମେଣ୍ଟ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ବିରୋଧୀ ମେଣ୍ଟରେ ସିଟ୍ ସେୟାରିଂକୁ ନେଇ କଥା ଛିଡ଼ିବା ଚର୍ଚ୍ଚା ହେଉଥିଲା । ହେଲେ ଏହାରି ଭିତରେ ଲାଲୁ ଯାଦବଙ୍କୁ ମିଳିଛି ଏମିତି କିଛି ବଡ଼ ଝଟକା ।