କନକ ବ୍ୟୁରୋ : ଲାଲୁ ଯାଦବଙ୍କ ପରିବାର ବିବାଦ ଥମିବାର ନାଁ ନେଉନି । ତେଜପ୍ରତାପଙ୍କୁ ଘରୁ ବାହାର କରିଦେବା ପରେ ଏବେ ଲାଲୁଙ୍କ କନ୍ୟା ରୋହିଣୀ ଆଚାର୍ଯ୍ୟ ଭାଇ ତେଜସ୍ୱୀ ଯାଦବଙ୍କୁ ନେଇ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ବିରୋଧୀଦଳ ନେତା ତେଜସ୍ୱୀ ଯାଦଙ୍କ ପରାମର୍ଶଦାତା ତଥା ରାଜ୍ୟସଭା ସାଂସଦ ସଂଜୟ ଯାଦବ ଏହି କଳିର ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି ।
ବିହାରରେ ଆରଜେଡି ତରଫରୁ ଏବେ ବିହାର ଅଧିକାର ଯାତ୍ରା ଚାଲିଛି । ଏହି ଯାତ୍ରା ବେଳେ ତେଜସ୍ୱୀ ଯାଦବ ବସର ଯେଉଁ ଆସନରେ ବସିବା କଥା ସେହି ଆସନରେ ସଂଜୟ ଯାଦବ ବସିଥିବାର ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ରୋହିଣୀ ଆଚାର୍ଯ୍ୟ ଏହି ସୋସିଆଲ ମିଡ଼ିଆ ପୋଷ୍ଟକୁ ସେୟାର କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଆଲୋଚନା କରାଯାଉଛି କି ଲାଲୁ ଯାଦବଙ୍କ ପରିବାରରେ ପୁଣି ବିବାଦ ଆରମ୍ଭ ହୋଇଛି ।
ହେଲେ ଏହି ପୋଷ୍ଟ କରିବାର କିଛି ସମୟ ପରେ ରୋହିଣୀ ଆଚାର୍ଯ୍ୟ ଡେମେଜ କଣ୍ଟ୍ରୋଲ କରିବାକୁ ଯାଇ ପୁଣି ଏକ ନୂଆ ପୋଷ୍ଟ କରିଛନ୍ତି । ଏଥିରେ ସଂଜୟ ଯାଦବଙ୍କ ବ୍ୟତୀତ ଅନ୍ୟ କିଛି ପଛୁଆବର୍ଗର ନେତା ତେଜସ୍ୱୀଙ୍କ ଆସନରେ ବସିଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ବଞ୍ଚିତ ଓ ସମାଜର ଶେଷ ପାହାଚରେ ଥିବା ଲୋକଙ୍କ ବିକାଶ ପାଇଁ ଲାଲୁ ଯାଦବଙ୍କ ପରିବାର ଲୋକେ ସବୁବେଳେ ଅଗ୍ରାଧିକାର ଦେଇଛନ୍ତି ।