କନକ ବ୍ୟୁରୋ: ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ଭିତରେ ନୀତୀଶଙ୍କୁ ବଡ଼ ଅଫର ଦେଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ସେହିଭଳି ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ନୀତୀଶ ଓ ତେଜସ୍ବୀଙ୍କ ସାକ୍ଷାତ ଅନେକ ଚର୍ଚ୍ଚାକୁ ଜନ୍ମ ଦେଇଛି । ଲାଲୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ଖୋଲାଖୋଲି ପ୍ରସ୍ତାବ ଦେଇଛନ୍ତି। ଲାଲୁଙ୍କ ଏହି ଅଫରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା। ସେ ଚାହିଁଲେ ଆସିପାରିବେ। ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ, ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ।
କୁହାଯାଉଛି, କିଛି ଦିନ ଧରି ନୀତୀଶ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । କିଛି ପ୍ରସଙ୍ଗକୁ ନେଇ ମତଭେଦ ସୃଷ୍ଟି ହୋଇଛି । ଆମ୍ବେଦରକର ପ୍ରସଙ୍ଗରେ ଅସନ୍ତୁଷ୍ଟ ଅଛନ୍ତି ନୀତୀଶ । କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ । ପୂର୍ବରୁ ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ମଧ୍ୟ ସାମିଲ ହୋଇନଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ନୀତିଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି । ନୀତିଶ ଅସନ୍ତୋଷ ହେବାର ଅନ୍ୟ ଏକ କାରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜେଡିୟୁ ଲଢିବାକୁ ଇଚ୍ଛା ରଖିଥିଲେ ବି ଏନଡିଏ ସିଟ୍ ଭାଗବଣ୍ଟାକୁ ସଫାସଫା ମନା କରିଦେଇଛି ।
ତେବେ ଏହି ଚର୍ଚ୍ଚା ଭିତରେ ଆଜି ରାଜଭବନକ ଗୋଟିଏ ଫଟୋ ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରିଛି । ରାଜଭବନରେ ସାମ୍ନାସାମ୍ନି ହୋଇଛନ୍ତି ତେଜସ୍ବୀ ଯାଦବ ଓ ନୀତୀଶ କୁମାର । ଏହି ସମୟରେ ନୀତୀଶ କୁମାର ତେଜସ୍ବୀଙ୍କ ପାଖରେ ଅଟକିଥିଲେ । ତେଜସ୍ବୀ ଯେତେବେଳେ ତାଙ୍କୁ ନମସ୍କାର କରିଥିଲେ, ସେ ସମୟରେ ନୀତୀଶ ତାଙ୍କ ହାତ ଧରିଦେଇଥିଲେ । ଆଉ ଏହାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି । ବିଜେପି ଶିବିରରେ ମଧ୍ୟରେ ଏହି ଭେଟଘାଟକୁ ନେଇ ଚର୍ଚ୍ଚା ହେଉଛି । ଲାଲୁଙ୍କ ଅଫର ନେଇ ତେଜସ୍ବୀ କହିଛନ୍ତି, ଗଣମାଧ୍ୟମ ବାରମ୍ୱାର ପଚାରିବାରୁ ଲାଲୁ ଏଭଳି କହିଦେଇଛନ୍ତି । ଏ ବର୍ଷ ଚାଚାଙ୍କ ବିଦାୟ ନିଶ୍ଚିତ ।