କନକ ବ୍ୟୁରୋ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଏହି ଅବସରରେ ସାରା ଦେଶ ଆଜି ବାପୁଙ୍କ ଜୟନ୍ତୀ ଧୁମଧାମରେ ପାଳନ କରୁଛି । ସ୍ୱାଧୀନତା ସଂଗ୍ରାମ, ଦେଶକୁ ନୂଆ ଦିଶା ଦେଇଥିବା ଏହି ମହାମାନବଙ୍କ ଦେଶପ୍ରତି ଥିବା ଅବଦାନ ଆଗାମୀ ଦିନ ହେଉ କି ସଭ୍ୟତାର ଅନ୍ତ ପର୍ୟ୍ୟନ୍ତ କେହି ବି ଭୁଲିପାରିବେ ନାହିଁ । ହେଲେ ଦେଶ ସ୍ୱାଧୀନ ପାଇବା ପରେ ଏମିତି ବି କିଛି ନେତାଙ୍କୁ ଦେଶ ଦେଖିଛି ଯେ, କି ବାପୁଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ । ବାପୁ ସିନା ଦେଶକୁ ସ୍ୱାଧୀନ କରାଇଲେ, ହେଲେ ସ୍ୱାଧୀନ ଦେଶର ରୂପ ରେଖ ବଦଳାଇ ଏକ ଗରିବ ଦେଶକୁ ବିକାଶଶୀଳ ଦେଶ ଧାରାରେ ସାମିଲ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ବି ଆଜି ଜନ୍ମଦିନ । ତାଙ୍କର ଦେଶପ୍ରତି ଥିବା ଅତୁଳନୀୟ ଅବଦାନ ଆଜିର ନେତାଙ୍କ ପାଇଁ ପ୍ରେରଣା ନିଶ୍ଚିତ 

Advertisment

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ । ତାଙ୍କର ଜୀବନ ଶୈଳି ଆଜି ବି ଭାରତୀୟଙ୍କ ପାଇଁ ଏକ ପ୍ରେରଣା । ତ୍ୟାଗ, ଦୃଢ ସଂକଳ୍ପର ସେ ଜଣେ ମିଶାଲ ଥିଲେ । ସ୍ୱାଧୀନତା ଆନ୍ଦୋଳନରେ ଶାସ୍ତ୍ରୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଲାଲ୍ ବାହାଦୁର ଶାସ୍ତ୍ରୀ ଦାୟିତ୍ୱ ନେଇଥିଲେ । ୧୯୬୪ ମସିହାରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ସେ ପ୍ରଧାନମନ୍ତ୍ରୀ ପଦରେ ଥାଇ ଯେଭଳି ସାଧାରଣ ଜୀବନ ବିତାଉଥିଲେ ତାହା ଆଜିର ନେତାଙ୍କ ଭିତରେ ଭାବିବା ବି କଷ୍ଟକର ହୋଇପଡିଛି । ପ୍ରଧାନମନ୍ତ୍ରୀ ପଦରେ ଥାଇ ବି ସେ ସରକାରୀ ଗାଡ଼ି ନୁହେଁ ବରଂ ବ୍ୟକ୍ତିଗତ କାମରେ ସାଇକେଲ ବ୍ୟବହାର କରୁଥିଲେ । ଗାନ୍ଧୀଙ୍କ ଆଦର୍ଶକୁ ସମ୍ମାନ ଦେଇ ସେ ସାଧାରଣ ଧୁତି ପରିଧାନ କରୁଥିଲେ । ଆଜିକା ସମୟରେ ସାଧାରଣ ଜଣେ ପଂଚାୟତ ପ୍ରତିନିଧୀଙ୍କ ପାଖରେ ତ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ ହୋଇ ଯାଉଛି । ହେଲେ ପ୍ରଧାନମନ୍ତ୍ରୀ ପଦରେ ଥାଇ ବି ସେ ନିଜ ପାଇଁ କାର ଗୋଟେ କିଣିବାକୁ ବ୍ୟାଙ୍କରୁ ଲୋନ୍ ନେଇଥିଲେ । ସେହି ଋଣ ମଧ୍ୟ ସେ ଜୀବତ ଅବସ୍ଥାରେ ସୁଝିପାରି ନଥିଲେ । ତାଙ୍କ ମୃତ୍ୟୁ ପରେ ଭାରତ ସରକାର ଏହି ଋଣ ସୁଝିଥିଲେ । ସବୁଠାରୁ ବଡ଼ କଥା ହେଉଛି ସେ ପ୍ରଧାନମନ୍ତ୍ରୀ ପଦରେ ଥାଇ ବି ଘରେ ଜଣେ ଚାକର ରଖିନଥିଲେ । ତାଙ୍କ ପତ୍ନୀ ହିଁ ଘରର ସବୁ କାମ କରୁଥିଲେ । ଏହାସହ ସେ ତାଙ୍କ ମୃତ୍ୟୁ ପୂର୍ବରୁ କେବଳ କେଇଖଣ୍ଡ ପୁସ୍ତକକୁ ଛାଡ଼ି ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରୁଥିଲେ ।