କନକ ବ୍ୟୁରୋ: ବିଶ୍ବର ୧୨ ନମ୍ବର ମାନ୍ୟତାପ୍ରାପ୍ତ ବ୍ୟାଡ୍ମିଣ୍ଟନ୍ ଖେଳାଳି ଭାରତର ଲକ୍ଷ୍ୟ ସେନ୍ ମର୍ଯ୍ୟାଦାଜନକ ଅଲ୍ଇଂଲଣ୍ଡ୍ ଓପନ୍ ପ୍ରତିଯୋଗିତାର କ୍ବାର୍ଟର-ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଗୁରୁବାର ସେ ହଂକଂର ଏନଜି କା ଲଙ୍ଗ୍ ଆଙ୍ଗସ୍ଙ୍କୁ ୨୧-୧୯,୨୧-୨୩, ୨୧-୧୦ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ୨୦୨୧ ବିଶ୍ବ ଚାମ୍ପିୟନସିପ୍ କାଂସ୍ୟପଦକ ବିଜେତା ଲକ୍ଷ୍ୟ କ୍ବାର୍ଟରରେ ଚୀନ ଖେଳାଳି ତଥା ୬ଷ୍ଠ ସିଡ୍ ଲି ସି ଫେଙ୍ଗ୍ଙ୍କୁ ଭେଟିବେ । ସେନ୍ ନିଜର ପ୍ରଥମ ମ୍ୟାଚ୍ରେ ଚୀନ୍ର ସି ୟୁକିଙ୍କୁ ୨୩-୨୧, ୧୯-୨୧, ୨୧-୧୭ରେ ପରାସ୍ତ କରିଥିଲେ । ତେବେ ଭାରତର ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁବ କପିଳା ଓ ତନିଷା କ୍ରାଷ୍ଟୋଙ୍କ ମୁକାବିଲା ଅଧାରେ ଅଟକିଯାଇଛି । ତାଙ୍ଗ୍ ଚୁନ୍ ମାନ ଓ ସି ୟିଙ୍ଗ୍ ସୁଏଟ୍ଙ୍କ ବିରୋଧରେ ମୁକାବିଲା ଚାଲିଥିବାବେଳେ ଧ୍ରୁବଙ୍କ ପିଠି ଯନ୍ତ୍ରଣା ଯୋଗୁଁ ଭାରତୀୟ ଯୋଡ଼ି ଅଧାରୁ ଓହରି ଯାଇଥିଲେ ।
ଏହା ବି ପଢ଼ନ୍ତୁ: ଇବ୍ରାହିମ୍ ଜଦ୍ରାନ୍ ଆଫଗାନିସ୍ତାନ ଟ୍ବେଣ୍ଟି-୨୦ ଦଳର ନୂଆ ଅଧିନାୟକ
ପ୍ରତିଯୋଗିତାର ଆରମ୍ଭରୁ ଭାରତର ୧ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଦାୟ ନେଇଛନ୍ତି । ବିଶ୍ବର ଏହି ପୂର୍ବତନ ଏକ ନମ୍ବର ଯୋଡ଼ି ୨୩-୨୧, ୨୧-୧୨ରେ ମାଲେସିଆର ଆଗ୍ରାଓଁ ତାଇ ଓ ଖାଙ୍ଗ୍ ଖାଇ ଜିଙ୍କଠୁ ହାରିଯାଇଥିଲେ । ଏଥିସହ ୨୦୨୪ ବିଶ୍ବ କନିଷ୍ଠ ପ୍ରତିଯୋଗିତା ଜିତିଥିବା ୧୯ ବର୍ଷୀୟ ତାଇ ଓ ଜି’ ବରିଷ୍ଠ ବର୍ଗରେ ବଡ଼ ସଫଳତା ପାଇଛନ୍ତି । ଅଭିଜ୍ଞ ସାତ୍ତ୍ବିକ-ଚିରାଗ ପ୍ରଥମ ଗେମ୍ରେ ଏକଦା ୧୧-୬ରେ ଆଗୁଆ ଥିଲେ । ହେଲେ ତାଇ ଓ ଜି’ ଚମତ୍କାର ପ୍ରଦର୍ଶନ କରି ଲଗାତାର ୧୨ ପଏଣ୍ଟ କରାୟତ କରି ସ୍ଥିତି ୧୮-୧୬କୁ ଆଣିଥିଲେ । ଏହାପରେ ସ୍ଥିତି ୨୧-୨୧ ଟାଇ ରହିବା ପରେ ମାଲେସିଆ ଖେଳାଳି ୨ ପଏଣ୍ଟ ନେଇ ପ୍ରଥମ ଗେମ୍ ଜିତି ନେଇଥିଲେ । ଦ୍ବିତୀୟ ଗେମ୍ରେ ସାତ୍ତ୍ବିକ-ଚିରଗା ବହୁ ପଛରେ ପଡ଼ି ହାରି ମ୍ୟାଚ୍ ହାତଛଡ଼ା କରିଥିଲେ । ସେହିପରି ମହିଳା ଯୁଗଳ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ କଡ଼ା ସଂଘର୍ଷ କରି ୧୫-୨୧, ୨୧-୧୫, ୧୮-୨୧ରେ ଜାପାନର ସାୟାକା ହିରୋତା ଓ ଆୟାକୋ ସାକୁରାମୋତୋଙ୍କଠୁ ହାରି ବିଦାୟ ନେଇଛନ୍ତି ।
Follow Us