କନକ ବ୍ୟୁରୋ : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ୨ୟ ପର୍ଯ୍ୟାୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ହୋଇଛି ଅଯୋଧ୍ୟା ନଗରୀ । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ୨୧ ଟି ନଦୀର ପବିତ୍ର ଜଳରେ ଶ୍ରୀରାମଙ୍କୁ କରାଯାଇଛି ଅଭିଷେକ ।  ରାମମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକର ଅଭିଷେକ କରାଯାଇଛି । ନିର୍ଦ୍ଦାରିତ ଲଗ୍ନରେ ଆରମ୍ଭ ହେଉଛି ପୂଜା । ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଛନ୍ତି ୧୨୦ ଆଚାର୍ଯ୍ୟ । ସେମାନଙ୍କ ମଧ୍ୟରୁ ୧୦୦ ଜଣ କେବଳ ଅଯୋଧ୍ୟାରୁ । କାଶୀ,ପ୍ରୟାଗରାଜ ସମେତ ଅନ୍ୟ ତୀର୍ଥସ୍ଥାନରୁ ଆସି ସାମିଲ ହୋଇଛନ୍ତି ଆଚାର୍ଯ୍ୟ ।

Advertisment

ଭଗବାନ ରାମ,ସୀତା,ଲକ୍ଷ୍ମଣ, ହନୁମାନଙ୍କ ପ୍ରତିମୂର୍ତ୍ତି ସମେତ ୬ଟି ମନ୍ଦିରର ବିଗ୍ରହଗୁଡିକର ପ୍ରାଣ ପ୍ରତିଷ୍ଠା କରାଯାଉଛି  । ମୂର୍ତ୍ତି କଳାକାରଙ୍କ ସୂଚନାନୁଯାୟୀ, ମନ୍ଦିରର ମୂର୍ତ୍ତିଗୁଡିକ ୪୦ ବର୍ଷ ପୁରୁଣା ମାର୍ବଲ ପଥରରେ ନିର୍ମିତ । ସିଂହାସନ ସମେତ ରାମ ଦରବାର ମୂର୍ତ୍ତିର ମୋଟ ଉଚ୍ଚତା ସାତ ଫୁଟ ରହିଛି । ଏହାକୁ ତିଆରି କରିବାକୁ ୭ରୁ ୮ ମାସ ସମୟ ଲାଗିଥିବା ନେଇ କହିଛନ୍ତି । ଅନ୍ୟପଟେ ୨ୟ ପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।  ପୁଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।  ମନ୍ଦିର ଚାରିପାଖରେ ଆତଙ୍କବାଦ ନିରୋଧ ସ୍କ୍ବାର୍ଡ କମାଣ୍ଡୋ ସକ୍ରିୟ ରହିବା ସହ ଅଞ୍ଚଳକୁ ରେଡ୍‌ ଆଲର୍ଟରେ ରଖାଯାଇଛି । ସର୍ଭେଲାନ୍ସ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏ ଅବସରରେ ପ୍ରଭୁଙ୍କ ଦିବ୍ୟଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।