କନକ ବ୍ୟୁରୋ : ୨୦୧୨ ମସିହା ମାର୍ଚ୍ଚ ମାସ ହଠାତ ଆରମ୍ଭ ହେଲା ଚଢ଼ାଉ । ରାଜ୍ୟରେ ଛତୁ ଫୁଟିବା ଭଳି ଖୋଲିଥିବା ଚିଟଫଣ୍ଡ କମ୍ପାନୀର ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ଉପରେ ସରକାରଙ୍କ ଯାଂଚ ଏଜେନ୍ସି ତରଫରୁ ଚଢ଼ାଉ କରାଗଲା । ଟ୍ରକ୍ ଟ୍ରକ୍ ଦସ୍ତାବିଜ, ହଜାର ହଜାର ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଗଲା । ଅଧିକାଂଶ ତଳିଆ ଓ କିଛିମାତ୍ର ଉପରିସ୍ତ ଅଧିକାରୀଙ୍କୁ ବାନ୍ଧି ଜେଲ ପଠାଇଦିଆଗଲା । ଅଫିସ ସିଲ୍ ହେଲା, ଚିଟଫଣ୍ଡ କମ୍ପାନୀ ପାଇଁ ଏଜେଣ୍ଟ ସାଜିଥିବା ଲୋକମାନେ କିଏ କୁଆଡେ ଲୁଚିଗଲେ । ଏବେ ଭାଳେଣି ପଡ଼ିଲା ଜମାକାରୀଙ୍କର । ରାଜ୍ୟର ପ୍ରତିଟି ପରିବାରର କେହି ନା କେହି ଚିଟଫଣ୍ଡ କମ୍ପାନୀରେ ନିଜର କଷ୍ଟ ଉପାର୍ଜିତ ଧନ ସଂଚୟ କରିଥିଲା । ଆଉ ଏହାର ମୁଖ୍ୟ କାରଣ ଥିଲା କମ୍ ସମୟ ଅବଧିରେ ଅଧିକ ସୂଧର ଲୋଭ । ନା ମୂଳ ମିଳୁଛି ନା ସୂଧ । ଦୀର୍ଘ ୧୨ ବର୍ଷ ଧରି ଜମାକାରୀମାନେ ଚାତକ ପରି ଚାହିଁରହିଛନ୍ତି । କିଏ ଘର କରିବାକୁ ଟଙ୍କା ଜମା ରଖିଥିଲା ତ କିଏ ଝଅ ବାହାଘର କରିବାକୁ ଆଉ ପୁଣି କିଏ ନିଜ ପିଲାଛୁଆଙ୍କୁ ଆଗାମୀ ଦିନରେ ଭଲ ପାଠ ପଢାଇବାକୁ । ହେଲେ ସମସ୍ତଙ୍କ ସ୍ୱପ୍ନ ମାଟିରେ ମିଶିଗଲା । ଆଉ ଏହି ୧୨ ବର୍ଷ ମଧ୍ୟରେ ଜମା ଟଙ୍କାକୁ ଅନାଇ ଅନାଇ ମୃତ୍ୟୁ ଶଯ୍ୟାରେ ଶୋଇଗଲା ତ କିଏ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲା । ଏହାରି ଭିତରେ କିଛି ଜମାକାରୀ ସଂଗଠନ କରି ସରକାରଙ୍କ ବିରୋଧରେ ରାସ୍ତାରେ ଲଢେଇ ସହ ଆଇନଗତ ଲଢେଇ କଲେ । ପୂର୍ବ ସରକାର ୨୦୧୪ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷୂଦ୍ର ଜମାକାରୀଙ୍କ ପାଇଁ କପର୍ସ ଫଣ୍ଡ ଗଠନ କରି ୩୦୦ କୋଟି ଟଙ୍କା ସରକାରୀ ସହାୟତା ଘୋଷଣା କଲେ । ଏହାସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ ଗଠନ କଲେ । ଆଉ ଜମାକାରୀମାନେ ତୁରନ୍ତ ଏହି କମିସନଙ୍କ ପାଖରେ ଚିଟଫଣ୍ଡ କମ୍ପାନୀ ଦ୍ୱାରା ପ୍ରଦତ୍ତ ଦସ୍ତାବିଜ ସହ ଏକ ଆଫିଡେଭିଟ୍ ଜମା କରିବାକୁ ପରାମର୍ଶ ଦେଲେ । ଲକ୍ଷ ଲକ୍ଷ ଜମାକାରୀ ଚିଟଫଣ୍ଡ କମ୍ପାନୀ ଭଳି ପୁଣି ସରକାରଙ୍କୁ ଭରସା କରି ବୋଝ ଉପରେ ଲଳିତା ବିଡ଼ା ମୁଣ୍ଡାଇ ପୁଣି ଦୌଡିଲେ କମିସନଙ୍କ କାର୍ଯ୍ୟାଳୟକୁ । ହେଲେ ୧୨ ବର୍ଷ ବିତିଗଲା, କମିସନ ପରେ କମିସନ ବଦଳିଗଲେ, ହେଲେ ବଦଳିଲାନି ଜମାକାରୀଙ୍କ ଭାଗ୍ୟ ।
ଚିଟଫଣ୍ଡ ତଦନ୍ତ ପ୍ରକ୍ରିୟାକୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଛି । ୨୦୧୩ ମସିହାରେ ସରକାର ଜମାକାରୀଙ୍କୁ ଚିହ୍ନଟ କରିବା ଓ ଘଟଣାର ବିଚାରବିଭାଗୀୟ ତଦନ୍ତ କରିବାକୁ କମିସନ ବସାଇଲେ । ବିଭିନ୍ନ ସମୟରେ ସରକାର ଟର୍ମସ ଅଫ୍ ରେଫରେନ୍ସରେ ପରିବର୍ତ୍ତନ କରି କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ । ଏହାରି ଭିତରେ ୨୦୨୦ ମସିହାରେ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଉ କମିସିନଙ୍କ ଅବଧି ବୃଦ୍ଧି କରାଗଲା ନାହିଁ । ତଦନ୍ତ ତ ସରିନଥିଲା, ତା ଭିତରେ ଉଭୟ ଜଷ୍ଟିସ ପାତ୍ର ଓ ଜଷ୍ଟିସ ଦାସ କମିସନ ୭ ଟି ଅନ୍ତରୀଣ ରିପୋର୍ଟ ଦାଖଲ କରିôଲେ । ହେଲେ ଏହି ୭ ଟି ଯାକ ରିପୋର୍ଟରେ ଉଭୟ କମିସନ ଦାଖଲ କରିଥିବା ରିପୋର୍ଟ ସଂକ୍ରାନ୍ତରେ ସରକାର ଜମାକାରୀଙ୍କ ଅର୍ଥ ଫେରସ୍ତ ନେଇ କୌଣସି ସ୍ଥିତି ସ୍ପଷ୍ଟ କରିନାହାଁନ୍ତି ।
ଉଭୟ କମିସନ ତଦନ୍ତ ବନ୍ଦ ହେବା ପୂର୍ବରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ୭ ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ ବି ତା'ର ସ୍ଥିତି ବାବଦରେ କିଛି ସୂଚନା ନାହିଁ । ଏହି ସତ୍ୟପାଠଗୁଡିକ ଏବେ କମିସନଙ୍କ କାର୍ଯ୍ୟାଳୟରେ ପଡ଼ି ପଡ଼ି ନଷ୍ଟ ହୋଇଛି । ଜମାକାରୀଙ୍କ ଟଙ୍କା ତ ସରକାରଙ୍କ ଭୁଲ ପାଇଁ ଚିଟଫଣ୍ଡ କମ୍ପାନୀର ମାଲିକମାନେ ଆତ୍ମସାତ କରିଦେଲେ, ଏହାସହ ପୁଣି ଟଙ୍କା ଖର୍ଚ୍ଚ କରି ଦାଖଲ କରିଥିବା ସତ୍ୟପାଠ ଏବେ ଉଇ ଖାଇଦେଲା । ଆହୁରି ଦୁଃଖର କଥା ଏହି କମିସନ ବସାଇ ସରକାର ରାଜ୍ୟ ରାଜକୋଷରୁ କରଦାତାଙ୍କର ୬.୧୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କମିସନ ଦାଖଲ କରିଥିବା ରିପୋର୍ଟରେ କ'ଣ ରହିଛି, ରାଜ୍ୟ ସରକାରଙ୍କୁ କମିସନ କ'ଣ ପରାମର୍ଶ ଦେଇଛନ୍ତି ତାହାକୁ ସରକାର ଏପର୍ଯ୍ୟନ୍ତ ସାର୍ବଜନୀନ କରିନାହାଁନ୍ତି ।
ପୂର୍ବ ୧୧ ବର୍ଷ ଧରି ରାଜ୍ୟ ଶାସନରେ ଥିବା ବିଜେଡ଼ି ସରକାର ଲୋକଙ୍କୁ ଟଙ୍କା ଫେରାଇବା ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସରକାର ବଦଳିଗଲା କିନ୍ତୁ ବିଜେଡ଼ି ସରକାରଙ୍କ ପ୍ରତିଶ୍ରୁତି ପ୍ରତାରଣା ପାଲଟିଗଲା । ଏହାପରେ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀଦଳରେ ଥିବା ବିଜେପି ଚିଟଫଣ୍ଡକୁ ଏକ ବଡ଼ ପ୍ରସଙ୍ଗ କରିଥିଲା । ବିଜେପି ରାଜ୍ୟ ସଭାପତି ନିର୍ବାଚନ ପୂର୍ବରୁ କହିଥିଲେ କି ଆମ ସରକାର ଆସିଲେ ତୁରନ୍ତ ଅଧ୍ୟାଦେଶ ଆଣି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବୁ । ବିଜେପି ଏକାକୀ ରାଜ୍ୟର କ୍ଷମତା ଦଖଲ କଲା । ଏନେଇ ରାଜ୍ୟ ସରକାର ଗୋଟିଏ ବର୍ଷ ଭିତରେ ୨-୩ ଥର ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ନେଇ ଗଣମାଧ୍ୟମରେ ସୂଚନା ଦେଉଛନ୍ତି । ହେଲେ ଟଙ୍କା କାହାକୁ ଫେରାଇବେ, କେଉଁ ଆଧାରରେ ଫେରାଇବେ ? କେବଳ କ୍ଷୁଦ୍ର ଜମାକାରୀଙ୍କୁ ଫେରାଇବେ ନା ସମସ୍ତ ଜମାକାରୀଙ୍କୁ ଫେରାଇବେ ତାହା ସ୍ପଷ୍ଟ କରୁନାହାଁନ୍ତି ।
ସରକାର ଯଦି ତଦନ୍ତ କମିସନ ଆଧାରରେ ଟଙ୍କା ଫେରାଇବେ ତେବେ ଏବେ ବି ୭ ଲକ୍ଷ ସତ୍ୟପାଠ ଉପରେ ଯାଂଚ ହୋଇନାହିଁ । ଅନ୍ୟପଟେ ସମସ୍ତ କ୍ଷୁଦ୍ର ଜମାକାରୀ ସତ୍ୟପାଠ ଦାଖଲ କରିପାରିନାହାଁନ୍ତି,ତେଣୁ ସେମାନଙ୍କୁ କିଭଳି ଟଙ୍କା ଫେରାଇବେ । ଏହା ବଡ଼ ପ୍ରଶ୍ନ ହୋଇଛି । ସେପଟେ ସରକାର ରାଜକୋଷରୁ ଟଙ୍କା ଆଣି ଜମାକାରୀଙ୍କୁ ଫେରାଇବେ ନା ଚିଟଫଣ୍ଡ କମ୍ପାନୀମାନଙ୍କର ସିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତି ବିକ୍ରି କରି ଟଙ୍କା ଫେରାଇବେ । ଯଦି ସରକାର ତଦନ୍ତ କମିସନକୁ ବାଦ ଦିଅନ୍ତି ତେବେ ଟଙ୍କା ଫେରାଇବା ସରକାରଙ୍କ ପାଇଁ କଷ୍ଟକର । ସେପଟେ ଚିଟଫଣ୍ଡ କମ୍ପାନୀମାନଙ୍କ କାର୍ଯ୍ୟାଳୟ ବନ୍ଦ ହେବା ପରେ ରାଜ୍ୟର ସବୁଠାରୁ ବଡ଼ ଚିଟଫଣ୍ଡ କମ୍ପାନୀ ମାଇକ୍ରୋଫାଇନାନ୍ସ ଚାଲୁ ରହିଥିଲା । ରାଜ୍ୟର ୫୦ ଲକ୍ଷରୁ ଅଧିକ ଜମାକାରୀ ଏହି କମ୍ପାନୀରେ ଟଙ୍କା ଜମା ରଖିଥିଲେ । ସେମାନଙ୍କ ମଧ୍ୟରୁ କେହି ବି କମିସନଙ୍କ ପାଖରେ ସତ୍ୟପାଠ ଦାଖଲ କରିନାହାଁନ୍ତି । ସେମାନେ ଟଙ୍କା ପାଇବେ କିଭଳି । ଯଦି ସରକାର କମିସନ ରିପୋର୍ଟକୁ ବାଦ ଦେଇ ଟଙ୍କା ଫେରାଇବେ ତେବେ ଜମାକାରୀଙ୍କ ତଥ୍ୟ ଆଣିବେ କେଉଁଠୁ । କାରଣ ରାଜ୍ୟର ସମସ୍ତ ଚିଟଫଣ୍ଡ କମ୍ପାନୀ ଅନଲାଇନରେ କିଛି ବି କାରବାର କରୁନଥିଲେ । ହାତଲେଖା ପାସବୁକ୍ ଓ ହାତ ଲେଖା ରସିଦ ଜମାକାରୀଙ୍କୁ ଦେଉଥିଲେ । ଏହାସହ ସେମାନେ ଯେଉଁ ରେଜିଷ୍ଟର କରୁଥିଲେ, ତାହା ସେମାନଙ୍କ କାର୍ଯ୍ୟାଳୟରେ ରହିଛି । ଯାହା କି ଆଉ ମିଳିବା ସମ୍ଭବ ନୁହେଁ । ଆଉ ଏକ ସମସ୍ୟା ହେଉଛି ସମସ୍ତ ଜମାକାରୀଙ୍କ ପାଖରେ ଦସ୍ତାବିଜ ଉପଲବ୍ଧ ନାହିଁ । କାରଣ ଚିଟଫଣ୍ଡ କମ୍ପାନୀ ବନ୍ଦ ହେବା ପରେ କମ୍ପାନୀର ଏଜେଣ୍ଟମାନେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇ ଜମାକାରୀଙ୍କ ଠାରୁ ଅରଜିନାଲ ଦସ୍ତାବିଜ ନେଇଯାଇଛନ୍ତି । ତେଣୁ ଅଧିକାଂଶ ଜମାକାରୀଙ୍କ ପାଖରେ ମୂଳ କାଗଜପତ୍ର ନାହିଁ । ସେପଟେ ସରକାର ଯଦି ଟଙ୍କା ଫେରାଇବା ନେଇ ପ୍ରକ୍ରିୟା ଆରମ୍ଭ କରୁଛନ୍ତି ତେବେ ନକଲି ଦସ୍ତାବଜ୍ ପ୍ରସ୍ତୁତ କରିବା କିଛି ଗହନ ପାଠ ନୁହେଁ । କାରଣ ଚିଟଫଣ୍ଡ କମ୍ପାନୀମାନେ ବିଶେଷ କରି ଜମାକାରୀଙ୍କୁ ହାତଲେଖା ପାସବୁକ୍ ସହ ହାତଲେଖା ରସିଦ ଦେଉଥିଲେ । ଏହାସହ କିଛି ଜମାକାରୀ ସିଧାସଳଖ ତଦନ୍ତ କରୁଥିବା ସିବିଆଇ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିବା ପରେ ସିବିଆଇ ସେମାନଙ୍କ ଠାରୁ ମୂଳ କାଗଜ ନେଇ ଏକ ରିସିଭ୍ ରସିଦ ପ୍ରଦାନ କରିଥିଲେ । ଏହାକୁ ସରକାର କିଭଳି ଗ୍ରହଣ କରିବେ ? ଏହାକୁ ନଜରରେ ରଖି ସରକାର ଯଦି ସୁବନ୍ଦୋବସ୍ତ କରି ଟଙ୍କା ଫେରାଇବାକୁ ପ୍ରସ୍ତୁତ ହେବେ ତେବେ ଠିକ୍ ଅଛି । ନଚେତ ପୂର୍ବ ସରକାରଙ୍କ ଭଳି ଯଦି ଶୁଖିଲା ପ୍ରତିଶ୍ରୁତି ଦେଉଥାନ୍ତି ତେବେ ପୁଣି ଜମାକାରୀମାନେ ପୂର୍ବ ସରକାରଙ୍କ ଠାରୁ ଯେଭଳି ପ୍ରତାରଣାର ଶିକାର ହୋଇଥିଲେ ପୁଣି ଚଳିତ ସରକାରଙ୍କ ଠାରୁ ପ୍ରତାରଣାର ଶିକାର ହେବେ ।