କନକ ବ୍ୟୁରୋ: ବଢୁଛି ଚାହିଦା ହେଲେ କଞ୍ଚାମାଲ ସାଜିଛି ପ୍ରତିବନ୍ଧକ  । ନବରଙ୍ଗପୁରର ପ୍ରସିଦ୍ଧ ଲାଖ ଶିଳ୍ପକୁ କଞ୍ଚାମାଲର ଅଭାବ । ସଙ୍କଟରେ ଲାଖ ଶିଳ୍ପ  । ନବରଙ୍ଗପୁର ଜିଲ୍ଲାର ରାଇଘର, ଝରିଗାଁ , ଚନ୍ଦାହାଣ୍ଡି ବ୍ଲକ ସୀମାନ୍ତ ରେ ମିଳୁଥିବା ଏହି ଲାଖ କିନ୍ତୁ ନିଜ ଜିଲ୍ଲାରେ ନ ବିକ୍ରି ହୋଇ ପୋଡ଼ାଶୀ ଛତିଶଗଡ଼ ରାଜ୍ୟ ରେ ବିକ୍ରି ହେଉଥିବା ବେଳେ ଲାଖ କାର୍ଯ୍ୟ କରୁ ଥିବା ନବରଙ୍ଗପୁରର ଲାଖ ଶିଳ୍ପୀମାନେ ଚଢାଦର ରେ କିଣୁଛନ୍ତି  । କଞ୍ଚାମାଲ ଅଭାବରୁ ଯାହା ଫଳରେ ଚାହିଦା ଅନୁସାରେ ଗ୍ରାହକକୁ ସାମଗ୍ରୀ ଯୋଗାଇବାରେ ବିଫଳ ହେଉଛନ୍ତି ଲାଖ ଶିଳ୍ପୀ । ଏହାସହ ଇକର୍ମସ ମାର୍କେଟ ରେ ମଧ୍ୟ ନିଜକୁ ସାମିଲ କରିପାରୁନାହାନ୍ତି ଲାଖ ଶିଳ୍ପୀ । 

Advertisment

ନବରଙ୍ଗପୁରର ଲାଖ କାରୁ କାର୍ଯ୍ୟ ବିଶ୍ୱ ପ୍ରସିଦ୍ଧ । ଲାଖରେ ପ୍ରସ୍ତୁତ ପୂଜା ସାମଗ୍ରୀ, ଗୁରୁବାର ପେଡ଼ି, ଦେବାଦେବୀଙ୍କ ମୂର୍ତ୍ତି, ପଶୁପକ୍ଷୀଙ୍କ ମୂର୍ତି, କଣ୍ଢେଇ, ଲାଖ ଚୁଡି, ଘରକରଣା ସାମଗ୍ରୀର ଚାହିଦା ଢେର ଅଧିକ । ସୁକ୍ଷ୍ମ କାରୁ କାର୍ଯ୍ୟରେ ପ୍ରସ୍ତୁତ ଏହି ସାମଗ୍ରୀ ଥରେ ଯିଏ ବ୍ୟବହାର କରିଛି ତା ନିକଟରେ ସେ ବନ୍ଧା ପଡିଛି  । ଏହି ଲାଖର କାରୁ କାର୍ଯ୍ୟ କେବଳ ସ୍ଥାନୀୟ ଗ୍ରାହକ ନୁହେଁ ବିଦେଶୀ ଗ୍ରାହକଙ୍କୁ ମଧ୍ୟ ବହୁତ ପସନ୍ଦ  । 

ବିଶ୍ୱକପ ହକି ଆୟୋଜନ ସମୟରେ ନବରଙ୍ଗପୁରର ଲାଖ କାର୍ଯ୍ୟରେ ପ୍ରସ୍ତୁତ ଦ୍ରବ୍ୟକୁ ବିଦେଶୀ ଖେଳାଳିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । କିନ୍ତୁ ନବରଙ୍ଗପୁରରେ ପ୍ରସ୍ତୁତ ଏହି ବିଶ୍ୱ ପ୍ରସିଦ୍ଧ ଲାଖ କାମ ବର୍ତ୍ତମାନ ସଙ୍କଟକୁ ଠେଲି ହୋଇଯାଇଛି  । ଏହି ସାମଗ୍ରୀ ତିଆରି ପାଇଁ ମୁଖ୍ୟତଃ କଞ୍ଚାମାଲ ହେଉଛି ଲାଖ  । ଯାହା କେବଳ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ରାଇଘର, ଝରିଗାଁ, ଚାନ୍ଦାହାଣ୍ଡି ବ୍ଲକର ଗାଁ ଗୁଡିକରେ ମିଳିଥାଏ । ନବରଙ୍ଗପୁର ସହରଠାରୁ ଏହାର ଦୂରତା ପ୍ରାୟ ୧୫୦ କିଲୋମିଟର । ନବରଙ୍ଗପୁର ଜିଲ୍ଲାରେ ବିକ୍ରି ନହୋଇ ଅଧିକାଂଶ ପଡ଼ୋଶୀ ଛତିଶଗଡ଼ରେ ବିକ୍ରି ହେଉଛି  । ଯାହା ଫଳରେ ନବରଙ୍ଗପୁର ଲାଖ ଶିଳ୍ପ ପାଇଁ କଞ୍ଚାମାଲର ଅଭାବ ଦେଖାଦେଉଛି  । ଯାହାବି ଲାଖ ମିଳୁଛି ତାହା ଚଢା ଦରରେ ମିଳୁଛି । ଫଳରେ ଲାଖରେ ପ୍ରସ୍ତୁତ ସାମଗ୍ରୀର ଦର ସେହି ଅନୁପାତରେ ବଢୁନାହିଁ  । ଯାହାଫଳରେ ଶିଳ୍ପୀମାନେ କ୍ଷତି ସହୁଛନ୍ତି  । ଗୋଟିଏପଟେ ଲାଖ ଶିଳ୍ପର ଚାହିଦା ବଢୁଛି କିନ୍ତୁ କଞ୍ଚାମାଲର ଅଭାବ ଯୋଗୁଁ ଲାଖ ସାମଗ୍ରୀ ଯୋଗାଇବାରେ ବିଫଳ ହେଉଥିବା କହିଛନ୍ତି ଶିଳ୍ପୀ  । ବର୍ତ୍ତମାନ ଇ-କମର୍ସର ଯୁଗ ହୋଇଥିବା ବେଳେ ଇ କମର୍ସ ବଜାରରେ ଅନ୍ତର୍ଜାତୀୟ ସ୍ତରର ଦ୍ରବ୍ୟ ଉପଲବ୍ଧ ଥିବାରୁ ସମୟ ସହିତ ତାଳ ଦେଇ ସେଠାରେ ନିଜକୁ ସ୍ଥାନିତ କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ କଞ୍ଚାମାଲ ପ୍ରତିବନ୍ଧକ ସାଜିଥିବା କହିଛନ୍ତି ଲାଖ ଶିଳ୍ପୀ ।

ସ୍ଥାନୀୟ ଅଞ୍ଚଳରେ ଚାହିଦା ଥିଲେ ମଧ୍ୟ ସେ ଅନୁପାତ ରେ ଲାଖ କାର୍ଯ୍ୟ ଯୋଗାଇ ଦେଇନପାରି ନୂଆ ଅର୍ଡରକୁ ରଖିପାରୁନଥିବା କହିଛନ୍ତି କାରିଗର  । ସ୍ଥାନୀୟ ଅଂଚଳର ଚାହିଦାକୁ ପୂରଣ କରିପାରୁନଥିବାରୁ ଲାଖ ଶିଳ୍ପୀ ମାନେ ଏବେ ସମସ୍ୟା ଘେରରେ  । ଓଡିଶାର ଏହି ପ୍ରସିଦ୍ଧ ଲାଖ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ଲାଖ ସୁଲଭ ମୂଲ୍ୟରେ ଯୋଗାଇଦେବା ପାଇଁ ଯଥା ଶୀଘ୍ର ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଲାଖ ଶିଳ୍ପୀ । ନବରଙ୍ଗପୁରର ପରିଚୟ ପାଲଟିଥିବା ଉପାନ୍ତ ଅଞ୍ଚଳର ଏହି ବିଶ୍ୱସ୍ତରୀୟ ହସ୍ତଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ପ୍ରଶାସନ ତରଫରୁ ଖୁବ ଶୀଘ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି  ।