କନକ ବ୍ୟୁରୋ : କିଛିଦିନ ତଳେ ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକଙ୍କୁ ଗିରଫ କରାଯାଇଛି । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଏହାସହ ପ୍ରଦର୍ଶନକାରୀମାନେ ବିଏସଏଫର କିଛି ଗାଡି ମଧ୍ୟ ପୋଡ଼ି ଦେଇଥିଲେ । କେବଳ ସେତିକି ନୁହେଁ ବିଜେପି କାର୍ଯ୍ୟାଳୟକୁ ପୋଡ଼ି ପାଉଁଶ କରିଦେଇଥିଲେ । ଏହି ହିଂସା ଘଟଣା ପରେ କେନ୍ଦ୍ର ସରକାର ବିକ୍ଷୋଭକାରୀଙ୍କ ଦାବି ଉପରେ ଗୁରୁତ୍ୱ ଦେବା ବଦଳରେ ହିଂସା ପାଇଁ ଉସକାଇଥିବା ଅଭିଯୋଗରେ ସାମାଜିକ କର୍ମୀ ସୋନମ ବାଙ୍ଗଚୁକଙ୍କୁ ଗିରଫ କରିଛନ୍ତି । ଏହାସହ ସୋନମଙ୍କ ବେସରକାରୀ ସଂଗଠନକୁ ବିଦେଶୀ ଟଙ୍କା ଆସୁଥିବା ଅଭିଯୋଗରେ ଏନଜିଓର ଲାଇସେନ୍ସ ମଧ୍ୟ ବାତିଲ କରିଛନ୍ତି । 

Advertisment

ବାଙ୍ଗଚୁକଙ୍କ ଉପରେ ସରକାର ଏନଜିଓ ପାଇଁ ବିଦେଶର ଫଣ୍ଡ ହାସଲ କରିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୂଚନା ଥାଉ କି, କିଛିଦିନ ତଳେ ଲଦାଖରେ ଜେନ୍-ଜିମାନେ ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବିରେ ବିରୋଧ ପ୍ରଦର୍ଶନ କରିଥିଲେ । 

ସୋନମ୍ ବାଙ୍ଗଚୁକ୍ ଦୀର୍ଘବର୍ଷ ହେବ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ଦାବି କରୁଥିଲେ । ବିଭିନ୍ନ ସମୟରେ ଏହାକୁ ନେଇ ସେ ଲଦାଖରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନଶନ ମଧ୍ୟ କରିଛନ୍ତି । ହେଲେ ସେପ୍ଟେମ୍ବର ୧୦ ତାରିଖରୁ ଆନ୍ଦୋଳନ ତୀବ୍ର ହୋଇଥିଲା । ଲଦାଖର ଜେନ-ଜି ମାନେ ଏହି ଆନ୍ଦୋଳନକୁ ହିଂସକ ରୂପ ଦେଇଥିଲେ । 

ଯଦି ସୋନମ ବାଙ୍ଗଚୁକଙ୍କ ବାବଦରେ କହିବା ତେବେ ସେ ଲଦାଖରେ ଜଣେ ଜଣା ଶୁଣା ଇଂଜିନିୟର । ତାଙ୍କ ଜନ୍ମ ସେପ୍ଟେମ୍ବର ୧୯୬୬ ମସିହାରେ ହୋଇଥିଲା । ସେ ଏନଆଇଟି ଶ୍ରୀନଗରରୁ ମେକାନିକାଲ ଇଂଜିନିୟରିଂରେ ଡିଗ୍ରି ହାସଲ କରିବା ପରେ ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ।