କନକ ବ୍ୟୁରୋ : ଲଦାଖ ପରିସ୍ଥିତି ଆଜି ନିୟନ୍ତ୍ରଣାଧୀନ ଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ପ୍ରବଳ ହିଂସାକାଣ୍ଡ ଘଟିଥିଲା । ପୋଡ଼ାଜଳା, ଟେକା ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିଲା । ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି । ପୁଲିସ୍ ଲୁହବୁହା ଗ୍ୟାସ୍ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲା । ଲେହରେ କର୍ଫ୍ୟୁ ଜାରି କରାଯାଇଛି । ୫୦ରୁ ଅଧିକ ଲୋକ ସୁରକ୍ଷାବାହିନୀ ଦ୍ୱାରା ଅଟକ ଅଛନ୍ତି । ଆଜି ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ସୁରକ୍ଷାକର୍ମୀ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।
ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ଏଥିରେ ପ୍ରାୟ ୯୦ ପ୍ରତିଶତ ଜେନ-ଜେଡ୍ ବା ଯୁବବର୍ଗ ସାମିଲ ହୋଇଥିବା କୁହାଯାଉଛି । କେନ୍ଦ୍ର ସରକାର ଅକ୍ଟୋବର ୬ ତାରିଖରେ ଲଦାଖ ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଡାକିଛନ୍ତି । ସେପଟେ ୧୫ଦିନ ପରେ ଆମରଣ ଅନଶନରୁ ଓହରିଛନ୍ତି ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ । ସେପଟେ ଆଜି କାର୍ଗିଲ ବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ ୨୦୨୪ରେ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରାୟ ଶହେ ଜଣଙ୍କ ସହିତ ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ନୂଆଦିଲ୍ଲୀକୁ ପଦଯାତ୍ରା କରିଥିଲେ । ସେତେବେଳେ ସେ କୁଲ୍ଲୁଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ ଯେ ଲଦାଖକୁ ଶୀଘ୍ର ରାଜ୍ୟ ମାନ୍ୟତା ନମିଳିଲେ ପରିସ୍ଥିତି ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ରୂପ ନେଇପାରେ । ଏହି ହିଂସାକାଣ୍ଡ ପାଇଁ ଜେନ୍- ଜେଡକୁ ଦାୟୀ କରାଯାଉଥିବା ବେଳେ ଏହା ପଛରେ କଂଗ୍ରେସର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଛି ।
ଭାରତରେ ନେପାଳ ଓ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିବା ପାଇଁ ଯୁବପିଢ଼ିଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବର୍ତ୍ତାଉଛନ୍ତି । ଭାରତ ଭଳି ଦେଶରେ ଏଭଳି ପ୍ରୟାସ ସଫଳ ହେବ ନାହିଁ, ବରଂ ଦେଶବାସୀ ରାହୁଲ ଗାନ୍ଧୀଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେପି କହିଛି ।