କନକ ବ୍ୟୁରୋ: ପଦ୍ମପୁର ଅଂଚଳର ନାବାଳିକା ନିଆଁରେ ଜଳିଯିବା ଯେତିକି ଯନ୍ତ୍ରଣାଦାୟକ ଥିଲା, ତାଠୁ ଅଧିକ ଯନ୍ତ୍ରଣାଦାୟକ ଥିଲା ବୁର୍ଲା ହସ୍ପିଟାଲ ପର୍ଯ୍ୟନ୍ତ ଯିବା । ପଦ୍ମପୁର କିମ୍ବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ବୁର୍ଲା ଆସିଥିଲେ ନାବାଳିବା ।

Advertisment

ପୋଡ଼ା ଯନ୍ତ୍ରଣାରେ ଛଟପଟ ହେଉଥିଲେ ନାବାଳିକା । କିନ୍ତୁ ବରଗଡ଼ ଜିଲ୍ଲାରେ କୌଣସି ହସ୍ପିଟାଲରେ ବର୍ଣ୍ଣ୍‌ ୟୁନିଟ୍ ନଥିବାରୁ ଚିକିତ୍ସା କରାଇବା ସମ୍ଭବ ହୋଇନଥିଲା । ବାଧ୍ୟ ହୋଇ ବୁର୍ଲା ହସ୍ପିଟାଲ ଅଭିମୁଖେ ଗଡ଼ିଥିଲା ଆମ୍ବୁଲାନ୍ସ । ଦୂରତା ଥିଲା ପ୍ରାୟ ଦେଢ଼ ଶହ କିଲୋମିଟର । ଯାହାକୁ ଅତିକ୍ରମ କରିବା ପାଇଁ ପ୍ରାୟ ଅଢ଼େଇ ଘଣ୍ଟା ଲାଗି ଯାଇଥିଲା । ଏହାରି ଭିତରେ ଛାତ୍ରୀ ଜଣଙ୍କ ଆହୁରି ଗୁରୁତର ହୋଇପଡ଼ିଥିଲେ । ଆଉ ଶେଷରେ ଆଖି ବୁଜି ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରଗଡ଼ବାସିନ୍ଦା । ଯଦି ବରଗଡ଼ରେ ବର୍ଣ୍ଣ ୟୁନିଟ୍ ଥାନ୍ତା ଝିଅଟି ହୁଏତ ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି ।

 ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାହିଁକି ବର୍ଣ୍ଣ୍‌ ୟୁନିଟ୍ ସୁବିଧା କରାଯାଉନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ତୁରନ୍ତ ବର୍ଣ୍ଣ୍‌ ୟୁନିଟ୍ ଖୋଲିବା ସହ ଆବଶ୍ୟକ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ADMO କହିଛନ୍ତି, ୩୦ ପ୍ରତିଶତରୁ ଅଧିକ ପୋଡ଼ିଥିଲେ ପ୍ରାଥମିକ ଚିକିତ୍ସା କରି ବୁର୍ଲା ରେଫର୍‌ କରାଯାଏ । ଏନେଇ ସରକାରଙ୍କୁ ଜଣାଇବୁ ।

ଖାଲି ବରଗଡ଼ ନୁହେଁ ସାରାରାଜ୍ୟର ସମାନ ସ୍ଥିତି। ଏସ୍‌ସିବି ଓ ଏମ୍ସକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ସରକାରୀ ହସ୍ପିଟାଲରେ ବର୍ଣ୍ଣ୍‌ ୟୁନିଟ୍ ନାହିଁ। ବର୍ଣ୍ଣ୍‌ ୟୁନିଟ୍ ଖୋଲିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଯେମିତି ତତ୍ପର ହେବା କଥା, ସେମିତି ବି ଦେଖାଯାଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରୀ ବି ମୁହଁ ଖୋଲୁ ନାହାନ୍ତି।