କନକ ବ୍ୟୁରୋ: ସତ୍ୟବାଦୀ ବକୁଳବନରେ ମିଳିଲାନି ମହାପ୍ରଭୁଙ୍କ ସେନାପଟା ଲାଗି ବଉଳ କାଠ । ସାକ୍ଷୀଗୋପାଳର ଯେଉଁ ବକୁଳବନ ବକୁଳ ଗଛ ପାଇଁ ପ୍ରସିଦ୍ଧ , ବର୍ଷ ବର୍ଷ ଧରି ଯେଉଁ ବକୁଳବନ ରଥଯାତ୍ରା ବେଳେ ସେନାପଟା ପାଇଁ ବଉଳ କାଠ ଯୋଗାଇ ଆସୁଥିଲା ସେଠି ବଉଳ କାଠର ଅଭାବ ଦେଖାଦେଇଛି । ଏଠାରେ ବଉଳ କାଠ ମିଳିଲାନି ଯେ, ଶେଷରେ ଶ୍ରୀଜିଉଙ୍କ ସେନାପଟା ଲାଗି ପାଇଁ ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଗଲା ବଉଳ କାଠ । ଏଭଳି ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ।
ବଉଳ କାଠର ଅଭାବ ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜୟଦେବବିହାର ଅଞ୍ଚଳର ଗଣେଶ ଚନ୍ଦ୍ର ପଣ୍ଡା ନାମକ ବ୍ୟକ୍ତିଙ୍କ ବାଡ଼ିରେ ଥିବା ବଉଳ ଗଛକୁ ଆଜି ରୀତିନୀତି ଅନୁସାରେ ପୂଜାପାଠ ପରେ ଛେଦନ କରାଯାଇଥିଲା । ମହାପ୍ରଭୁଙ୍କ ପହଣ୍ଡି ବେଳେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗିହୁଏ । ପହଣ୍ଡି ପୂର୍ବ ରାତିରୁ ଦଇତାପତି ସେବକମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ସେନାପଟା ଲାଗି କରିଥାନ୍ତି ।
/kanak/media/media_files/2025/06/03/zYpZTkJdpPezqJes4R3i.jpg)
ପ୍ରତିବର୍ଷ ସାକ୍ଷୀଗୋପାଳ ବକୁଳବନରୁ ବଉଳ କାଠ ସଂଗ୍ରହ କରି କଟାଯିବା ପରେ ଶୋଭାଯାତ୍ରାରେ ଶଗଡ଼ରେ ଶ୍ରୀମନ୍ଦିର ଯାଇଥାଏ । ମାତ୍ର ଚଳିତ ବର୍ଷ ଆବଶ୍ୟକ ମୁତାବକ ବଉଳ କାଠ ନଥିଲା । ୪ଫୁଟ ଗୋଲେଇ ଓ ୧୦ଫୁଟ ଲମ୍ବର ଶାଖାବିହୀନ ବଉଳ ବୃକ୍ଷ ଆବଶ୍ୟକତା ଥିବାବେଳେ, ଯାହାକୁ ଦାନ ବା ଅର୍ଥ ବିନିମୟରେ ପ୍ରଭୁଙ୍କ ସେବା ନିମନ୍ତେ ଦେବା ପାଇଁ ଗତ ମେ ମାସ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞାପନ ସମ୍ପର୍କରେ ଜାଣି ଭୁବନେଶ୍ବରର ଶ୍ରୀ ପଣ୍ଡା ନିଜ ବାଡ଼ିରେ ଥିବା ୩୫ ବର୍ଷ ପୁରୁଣା ବଉଳ ବୃକ୍ଷ ସମ୍ପର୍କରେ ସ୍ବାମୀ ଆନନ୍ଦରାଜାଙ୍କ ମାଧ୍ୟମରେ ମନ୍ଦିର ପ୍ରଶାସନକୁ ଅବଗତ କରାଇଥିଲେ ।
ଗତକାଲି ବିଧି ମୁତାବକ ପୂଜାର୍ଚ୍ଚନା ସହ ହରେକୃଷ୍ଣ ମହାମନ୍ତ୍ର, ଶ୍ରୀଜଗନ୍ନାଥ ସହସ୍ରନାମ, ନାମ ଯଜ୍ଞ ସହ ବୃକ୍ଷ ଛେଦନ କରାଯାଇଛି । ଯାହା ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କୁ ଲାଗି ହେବ ।