କନକ ବ୍ୟୁରୋ : ରୋଗୀ ସେବା ଯୋଗାଇବା ପାଇଁ  ଆରମ୍ଭ ହୋଇଥିଲା ୧୦୮ ଆମ୍ବୁଲାନ୍ସ ସେବା । କିନ୍ତୁ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ।  ରୋଗୀ ଆମ୍ବୁଲାନ୍ସରେ ବୁହା ହେଉଛନ୍ତି ସତ କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ଚାଲିଯାଉଛି ଜୀବନ । ଘରୋଇ ସଂସ୍ଥାର ମନମାନି ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା କୁହାଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଭାଗ ସମୀକ୍ଷା କରୁଛି ।

ଗଞ୍ଜାମ ପୋଲସରାରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ହିଞ୍ଜିଳିକାଟୁ ନିକଟରେ ବ୍ରେକ୍‌ ଡାଉନ ହେଲା, ଡାକ୍ତରଖାନା ଯିବା ପୂର୍ବରୁ ଚାଲିଗଲା ରୋଗୀଙ୍କ ଜୀବନ । ସାପକାମୁଡ଼ା ମହିଳାଙ୍କୁ କେନ୍ଦ୍ରାପଡ଼ାରୁ କଟକ ନିଆଯାଉଥିବା ବେଳେ କଟକ ଚାନ୍ଦବାଲି ରାସ୍ତାର କୁଳିଆ ଛକ ନିକଟରେ ଖରାପ ହୋଇଯାଇଥିଲା ୧୦୮ ଆମ୍ବୁଲାନ୍ସ । ପ୍ରାୟ ୧ ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସରେ ଏସ୍‌ସିବି ମେଡିକାଲ ଗଲେ ମହିଳା । କେବଳ ଏହି ଦୁଇଟି ଘଟଣା ନୁହେଁ, ପ୍ରତ୍ୟେକ ଦିନ ଏଭଳି ଏକାଧିକ ଘଟଣା ରୋଗୀଙ୍କ ଜୀବନକୁ ବିପନ୍ନ କରୁଛି । ଏସବୁର ତଦନ୍ତ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଗଡ଼ୁଛି ସତ କିନ୍ତୁ ଗାଡ଼ିର ଏହି ଅବସ୍ଥା ଦେଖି ସହଜରେ ବୁଝି ହେଉଛି ଯେ, କୌଣସି ମୁହୂର୍ତ୍ତରେ ବି ଗାଡ଼ିର ଚକ ବାହାରିପାରେ ।ଆମ୍ବୁଲାନ୍ସ ଭିତରେ ରୋଗୀ ଶୋଇଛନ୍ତି । ପାଖରେ ତାଙ୍କ ସମ୍ପର୍କୀୟ ବସିଛନ୍ତି । ଆଉ ଉଭୟଙ୍କ ଉପରେ ପଡ଼ିଛି ଜରିପାଲ । ଆମ୍ବୁଲାନ୍ସର ଛାତ ନଷ୍ଟ ହୋଇଯାଇଥିବାରୁ ପାଣି ପଡ଼ୁଛି । ବର୍ଷା ପାଣିରୁ ରକ୍ଷା ପାଇବା ପାଇଁ ରୋଗୀଙ୍କୁ ଦିଆଯାଇଛି ଜରି ପାଲ । ୧୦୮ ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥା ଏମ୍ରି ଗ୍ରୀନ ହେଲ୍‌ଥ ସର୍ଭିସେସକୁ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଆମ୍ବୁଲାନ୍ସ ଖରାପ ନେଇ ଖବର ପ୍ରସାରଣ ହେଲେ ହାତଗଣତି ଆମ୍ବୁଲାନ୍ସ ସଜାଡ଼ି ଠିକା ସଂସ୍ଥା ଚୁପଚାପ ବସିଯାଉଥିବା ଅଭିଯୋଗ ହୋଇଛି ।

୧୦୮ ଆମ୍ବୁଲାନ୍ସର ଦୁରବସ୍ଥା ନେଇ ଯଦି କୌଣସି କର୍ମଚାରୀ ମୁହଁ ଖୋଲିଲେ ତେବେ ଚାକିରି ଗଲା ନହେଲେ କାମ ନଦେଇ ବସାଇଦେଉଛନ୍ତି କର୍ତ୍ତୃପକ୍ଷ । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ବି ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଥିବା ଅଭିଯୋଗ ହେଉଛି ।